Unknown

 

 

 

 

 

 

 

 

 

ନୀତିରତ୍ନାବଳୀ

ଶ୍ରୀ କେଶବଚନ୍ଦ୍ର ମିଶ୍ର

 

ପ୍ରଥମ ହାର

 

ବିଦ୍ୟାଟି ନରର ରୂପ, ଅତି ଗୁପ୍ତ ଧନ,

ବିଦ୍ୟାଟି ସମ୍ୱୋଗ-ଶୁଭ-ଯଶର କାରଣ ।

ବିଦ୍ୟା ଅଟେ ମହାଗୁରୁ ସଦା ସର୍ବ ଦେଶେ,

ବିଦ୍ୟାଟି ପରମବନ୍ଧୁ ରହିଲେ ବିଦେଶେ ।

ବିଦ୍ୟାଟି ସଂସାରେ ଏକା ଦେବତା ରତନ,

ବିଦ୍ୟାଟି ରାଜାର ପୂଜ୍ୟ-ପୂଜ୍ୟ ନୁହେଁ ଧନ ।

ଧିକ ସେ ଯାହାର ବିଦ୍ୟା ନାହିଁ ଏ ସଂସାରେ,

ପଶୁବୋଲି ପରିଚିତ ପଣ୍ଡିତ ସଭାରେ ।

ଜ୍ଞାତିମାନେ ନ ନିଅନ୍ତି ସେ ଧନ ବଣ୍ଟନେ,

ଅପହୃତ ନ ହୁଅଇ କେବେ ଚୋର ଗଣେ ।

ବହୁ ଦାନ କଲେ ପୁଣି କ୍ଷୟ ନାହିଁ ଯାର,

ବିଦ୍ୟାସମ ଧନ କାହିଁ ଅଛଇ କାହାର ?

ନିଜକୁ ଅମର ଭାବି ବୁଦ୍ଧିମାନ ଜନ

ବିଦ୍ୟା ଆଉ ଅର୍ଥ ସଦା କରେ ଉପାର୍ଜନ ।

ମୃତ୍ୟୁକୁ ନିକଟେ ଭାବି ହୋଇ ଲାଳାୟିତ

ଧର୍ମ କାର୍ଯ୍ୟେ ରତ ହେବା ଅଟଇ ଉଚିତ ।

ଗୁଣ ଯାର ଥାଏ ପାଏ ପରମ ଆଦର,

ସଂସାର ଭିତରେ କାହିଁ ଆଦର ରୂପର ?

ପୁଷ୍ପ ହେଉ ପଛେ ଯେତେ ନେତ୍ର ତୃପ୍ତିକର,

ସୁଗନ୍ଧ ନ ଥିଲେ ତାକୁ କେ କରେ ଆଦର ?

ଗୁଣୀସିନା ଗୁଣୀ ଗୁଣ ବୁଝଇ ଜଗତେ,

ର୍ନିଗୁଣ ତାହାର ଗୁଣ ବୁଝିବ କେମନ୍ତେ ?

ବଳୀ ସିନା ବୁଝି ପାରେ ବଳବନ୍ତ ବଳ,

କିପରି ବୁଝିବ ବଳ ତାହାର ଦୁର୍ବଳ ?

ବସନ୍ତ ଗୁଣ ଗ୍ରହଣେ ପିକଟି ସକ୍ଷମ,

ବୁଝିବାରେ ହୁଏ ତାହା ବାୟସ ଅକ୍ଷମ ।

କରି ହରି ବଳ ସିନା ବୁଝି ନିଏ ମନେ,

ଛାର ସେ ମୂଷିକ ତାହା ବୁଝିବ କେସନେ ?

ଗୁଣୀ ଗୁଣଜ୍ଞର ପାଶେ ଗୁଣୀ ହୋଇ ରହେ,

ନିର୍ଗୁଣର ପାଶେ ସଦା ଦୋଷରାଶି ବହେ ।

ନଦୀର ନିର୍ମଳ ଜଳ ମଧୁର ସ୍ୱଭାବେ,

ସାଗର ପଡ଼ିଲେ ଘୃଣ୍ୟ ମିଷ୍ଟତା ଅଭାବେ ।

ସଂସାରେ ଯଥାର୍ଥ ସାଧୁ ଅଟେ ଯେଉଁ ଜନ,

ଦୋଷମାନ ଗୁଣ ରୂପେ କରଇ ଗ୍ରହଣ ।

ପରମ ଅସାଧୁ ବୋଲି ବୋଲାଏ ସେ ଜନେ,

ଗୁଣମାନ ଦୋଷ ରୂପେ ଧରେ ଯେହୁ ମନେ ।

ସାଗରରୁ ଲୁଣୀ ଜଳ ଖାଏ ଜଳଧର,

ମାତ୍ର ମିଷ୍ଟଜଳ ଦାନେ ହୁଏ କି କାତର ?

ବିଷଧର ସୁମଧୁର ଦୁଗ୍ଧ ପାନ କରେ,

ମାତ୍ର ଦେଖ ମହା କଟୁ ଗରଳ ଉଦ୍ଗାରେ ।

ସଂସାର ଖଳର ବିଦ୍ୟା ବିବାଦ କାରଣ,

ଗର୍ବର କାରଣ ତାର ଧନ ଉପାର୍ଜନ ।

ମହାଶକ୍ତି ବହେ ସେହୁ ପରର ପୀଡ଼ନେ,

ଏହାସବୁ ବିପରିତ ମାତ୍ର ସାଧିୁଜନେ ।

ଜ୍ଞାନ ହେତୁ ବିଦ୍ୟା ତାର, ଦାନ ହେତୁ ଧନ,

ପର ରକ୍ଷା ହେତୁ ତାର ଶକ୍ତିର ସାଧନ ।

ବଳଠାରୁ ବୁଦ୍ଧି ବଡ଼ ବିଦିତ ଭୁବନେ,

ବଳ ଅଛି ବୁଦ୍ଧି ନାହିଁ, କି ହେବ ସେ ଜନେ ?

ବୁଦ୍ଧି ନାହିଁ ମାତ୍ର ବଳ ଧରି ସର୍ବକ୍ଷଣ

ଭାବି ଦେଖ ହସ୍ତୀ ଦଶା ହୁଅଇ କେସନ ।

ହସ୍ତିର ଉପରେ ଚଢ଼ି ମାହୁନ୍ତ ଅଙ୍କୁଶ-

ଆଘାତେ କ୍ରମଶଃ ତାକୁ ଦିଏ କୃଶ ।

ନିର୍ମେଘ ପୂର୍ଣ୍ଣିମା ରାତ୍ରି ବୋଲାଏ ଯାମିନୀ,

ରୂପଯୁକ୍ତା ପତିବ୍ରତା ବୋଲାଏ କାମିନୀ ।

ହରିପ୍ରେମ ସୁଧାରସ ବୋଲାଏ ମାଧୁରୀ,

ତାରେ ଯେ ଉଭୟ ଲୋକ ଅଟେ ସେ ଚାତୁରୀ ।

ରଖେ ନାହିଁ ଅହଁଙ୍କାର କେତେବେଳେ ମନେ,

ଭ୍ରମେ ଶୁଦ୍ଧା ପର ନିନ୍ଦା ନ ଭାଷେ ବଦନେ ।

କଦାପି ନିଷ୍ଠୁର ବାକ୍ୟ ନ ଆଣଇ ମୁଖେ,

କଟୁ କଥା ଶୁଣି ସୁଦ୍ଧା ରହେ ମହାସୁଖେ ।

କ୍ରୋଧ ଯାର ମନେ କେବେ ନ ପାଏ ଆଶ୍ରୟ,

ଦେବା ପର ରହେ ଜାଣି ଶାସ୍ତ୍ର ସମୁଦାୟ ।

ପର ଦୋଷ ଦେଖିକରି କରଇ ଗୋପନ,

ଦେଖିଲେ ପରର ଗୁଣ କରଇ କୀର୍ତ୍ତନ ।

ଏହି ଅଷ୍ଟ ମହାଗୁଣ ଅଛଇ ଯାହାର,

ଯଥାର୍ଥ ପାଣ୍ଡିତ୍ୟ ଲାଭ ହୋଇଛି ତାହାର ।

ଚିନ୍ତାଶୁନ୍ୟ, ବହୁଭୋଜୀ, ଅତ୍ୟନ୍ତ ବାଚଳ,

ଦିବା ନିଶି ନିଦ୍ରା ଯାଏ- ନାହିଁ କାଳାକାଳ ।

ଥାଏ ନାହିଁ କିଛି ମାତ୍ର ହିତାହିତ ଜ୍ଞାନ,

ମାନ ଅପମାନ ତାର ଦୁଇଟି ସମାନ ।

ରୋଗ ଶୋକ ତାପ କେବେ ଭୋଗ ସେ ନ କରେ,

ଦେହ ତାର ହୃଷ୍ଟ ପୃଷ୍ଟ-ବହୁ ବଳ ଧରେ ।

ଏକାଧାରେ ଅଷ୍ଟ ଗୁଣ କରିଣ ଧାରଣ,

ମହାସୁଖେ ବଞ୍ଚି ରହେ ମୁର୍ଖ ଯେଉଁ ଜନ ।

ଦରିଦ୍ର ଲୋକର ସଙ୍ଗ କେହି ନ ଇଚ୍ଛନ୍ତି,

ଆଦର କରିଣ ତାକୁ କେହି ନ ଡାକନ୍ତି ।

କରେ ଯେବେ ଧନି ଗୃହେ ଉତ୍ସବେ ଗମନ,

ତୁଚ୍ଛଭାବି କେହି ତାକୁ ନ କରେ ଲୋକନ ।

ପଞ୍ଚ ମହାପାପ ଅଛି ଶାସ୍ତ୍ର ଏହା କହେ,

ଷଷ୍ଠ ମହାପାପ ନାମ ଦାରିଦ୍ର୍ୟଟି ବହେ ।

ଧନହୀନେ ଧନ ଦାନ ଧନିର ଉଚିତ,

ଚିରଦିନ ରହେ ନାହିଁ ଧନ ସୁସଞ୍ଚିତ ।

ବିକ୍ରମଆଦିତ୍ୟ କିବା କର୍ଣ୍ଣ ମହାମତି,

ଦାନ ହେତୁ ଏହାଙ୍କର ପୃଥିବୀରେ ଖ୍ୟାତି ।

କେତେ କଷ୍ଟ ଲଭି ମଧୁମକ୍ଷିକା ନିଚୟ,

ଲୋଭେ ପ୍ରାଣପଣେ ମଧୁ କରନ୍ତି ସଞ୍ଚୟ ।

କାହାକୁ ଦେବାକୁ ବଳେ ନାହିଁ କାବେ ମନ,

କିବା ନିଜେ ନ କରନ୍ତି କେବେହେଁ ଭୋଜନ ।

ନିଷ୍ଠୁର ମାନବ ତାହା ଦେଖେ ଯେବେ ଥରେ,

ଅଗ୍ନିଜାଳି ଦେଇ ମଧୁ ମକ୍ଷିକା ମୁଖରେ ।

ମଧୁ ସବୁ ଆନନ୍ଦରେ କରେ ଆହରଣ,

ଦାନ ଭୋଗ ବିନା ଧନ ହୁଏ ଅକାରଣ ।

ମନ ଦୁଃଖେ ବସି ରହି ମକ୍ଷିକା ନିଚୟ,

ହସ୍ତ ପାଦ ଘଷୁଥାନ୍ତି ପାଇଲେ ସମୟ ।

ହସ୍ତୀ ଶୋଭା ପାଏ ମଦ ହୋଇଲେ କ୍ଷରଣ,

ପଦ୍ମ ଫୁଟି କରେ ସଦା ଜଳକୁ ଶୋଭନ ।

ପୂର୍ଣ୍ଣ ଚନ୍ଦ୍ରୋଦୟେ ଶୋଭେ ପୂର୍ଣ୍ଣିମା ରଜନୀ,

ସଚ୍ଚରିତ୍ରା ହେଲେ ସଦା ଶୋଭଇ ରମଣୀ ।

ଅଶ୍ୱଶୋଭା ପାଏ ଯେବେ ଥାଏ ଦ୍ରୁତଗତି,

ଉତ୍ସବ ଘଟିଲେ ନିତି ଗୃହ ଶୋଭେ ଅତି ।

ବ୍ୟାକରଣ ଜାଣିଥିଲେ ବାକ୍ୟ ଶୋଭା ଧରେ,

ନଦୀ ଶୋଭା ପାଏ ଯେବେ ହଂସଯୂଥ ଚରେ ।

ପଣ୍ଡିତ ବସିଲେ ଶୋଭା ପାଏ ରାଜସଭା,

ସୁପୁତ୍ର ହୋଇଲେ ତାର ବଢ଼େ ବଂଶ ପ୍ରଭା ।

ରାଜ୍ୟର ଶୋଭା ବିରାଜେ ଥିଲେ ସୁ ରାଜନ,

ବିଷ୍ଣୁ ଥିବା ଯୋଗେ ଶୋଭା ପାଏ ତ୍ରିଭୁବନ ।

ଚିକିତ୍ସକ ଅଟେ ମାତ୍ର ମଦ୍ୟ ପାନେ ମତି,

ନଟ ଅଟେ ମାତ୍ର ତାର ଶିକ୍ଷା ନାହିଁ ଅତି ।

ବ୍ରାହ୍ମଣ ଅଟଇ ମାତ୍ର ନାହିଁ ବେଦଜ୍ଞାନ,

ଯୋଦ୍ଧା ଅଟେ ମାତ୍ର ପ୍ରାଣେ ଭୟ ବିଦ୍ୟମାନ ।

ଅଶ୍ୱହୋଇ ଯେବେ ତାର ନାହିଁ ଦ୍ରୁତଗତି,

ସନ୍ୟାସୀ ଅଟଇ ମାତ୍ର ଗଣ୍ଡମୂର୍ଖ ଅତି ।

ରାଜା ହୋଇ ଥାଏ ଯେବେ କୁମନ୍ତ୍ରୀ ତାହାର,

ଦେଶ ଥାଇ ହୁଏ ଯେବେ ବିପଦ ଅଗାର ।

ଭାର୍ଯ୍ୟାହୋଇ, ଦେଖି ଯେବେ ନିଜର ଯୌବନ,

ତୁଚ୍ଛ କରି ଗଣେ ପତି, ଭଜେ ଅନ୍ୟ ଜନ ।

ଏ ସଂସାରେ ଏହି ସର୍ବେ ବଡ଼ ଭୟଙ୍କର,

ବର୍ଜନ କରନ୍ତି ସଦା ବୁଦ୍ଧିମାନ ନର ।

କ୍ଷମା ଗୁଣ ଥିଲେ କବଚେ କି ପ୍ରୟୋଜନ ?

କ୍ରୋଧ ଥିଲେ ଅନ୍ୟ ଶତ୍ରୁ କି ଭୟ ଭାଜନ ?

ଜ୍ଞାତି ଯଦି ଥାଏ ତେବେ କି କରେ ଅନଳ ?

ସୁହୃଦ ଅଛଇ ଯେବେ ଔଷଧେ କି ଫଳ ?

ଦୁର୍ଜନ ସହିତ ଥିଲେ ସର୍ପେ କିବା ଡର ?

ସୁବିଦ୍ୟା ଅଛଇ ଯେବେ ଧନେ କି ଆଦର ?

ଲଜ୍ଜାଗୁଣ ଥାଏ ଯେବେ କି କରେ ଭୂଷଣ ?

ସୁକବି ହୋଇଲେ ରାଜ୍ୟେ କିବା ପ୍ରଯୋଜନ ?

ଜଳର ପ୍ରଭାବେ ହୁଏ ଅଗ୍ନିର ଦମନ,

ଛତ୍ର ଯୋଗେ ବୃଷ୍ଟି ରୌଦ୍ର ହୁଏ ନିବାରଣ ।

ମତ୍ତହସ୍ତୀ ଶାନ୍ତି ହୁଏ ଅଙ୍କୁଶ ଘାତରେ,

ଗୋ ଗର୍ଦ୍ଦଭ ଶାନ୍ତ ହୋନ୍ତି ଦଣ୍ଡାଘାତ ଡରେ ।

ବୈଦ୍ୟର ଔଷଧବଳେ ରୋଗହୁଏ ଦୂର,

ମନ୍ତ୍ରବଳେ ବିଷବଳ ହୋଇଯାଏ ଚୂର ।

ସଂସାରେ ରହିଛି, ସକଳର ପ୍ରତିକାର,

ପ୍ରତୀକାର ନାହିଁ କିଛି କେବଳ ମୂର୍ଖର ।

ବ୍ରାହ୍ମଣ ଅଟଇ ମାତ୍ର ଶାସ୍ତ୍ରଜ୍ଞାନହୀନ,

ବୟସେ ପ୍ରାଚୀନ, ମାତ୍ର ଗୃହେ ସମାସୀନ ।

ଲମ୍ପଟ ଅଟଇ ମାତ୍ର ହସ୍ତେ ନାହିଁ ଅର୍ଥ,

ସନ୍ନ୍ୟାସୀ ହୋଇଣ ଯେବେ ଧନ ଲୋଭେ ମତ୍ତ ।

ବେଶ୍ୟା ଅଟେ ମାତ୍ର ଯେବେ ରୂପ ନାହିଁ ତାର,

ରାଜା ଅଟେ ମାତ୍ର ତାର କଦର୍ଯ୍ୟ ଆଚାର ।

ସଂସାର ଭିତରେ ଭାଇ ଏହି ଷଡ଼ ଜଣ

ନିଶ୍ଚୟ ଜାଣିବ ମନେ ମହା ବିଡ଼ମ୍ୱନ ।

ଅର୍ଥଦାନ କଲେ ଯେବେ ଅର୍ଥଶୂନ୍ୟ ଜନ,

ପ୍ରଭୁ ଯଦି ହୁଏ ସଦା କ୍ଷମାପରାୟଣ ।

ଯୁବା ଯଦି ଈଶ୍ୱରଙ୍କ ଉପାସନା କରେ,

ଜ୍ଞାନୀଜନ ମୁଖେ ସବୁବେଳେ ମୌନ ଧରେ ।

ସୁଖି ଯଦି ସୁଖଭୋଗେ ନ ହୋଇ ମଗନ

ତାପିତ ପରାଣେ କରେ ଦୟା-ବାରି ଦାନ ।

ଏତେ ଗୁଣେ ଅନାୟାସେ ଏହି ଷଡ଼ ଜଣ

ମହାସୁଖେ ସ୍ୱର୍ଗଧାମେ କରନ୍ତି ଗମନ ।

ଯେ ରାଜାର ଦୁଷ୍ଟ ମନ୍ତ୍ରୀ ହୁଅଇ ସହାୟ,

ଦୁର୍ନୀତି ତାହାର ପାଶେ ନିଅଇ ଆଶ୍ରୟ ।

କୁପଥ୍ୟେ ଯାହାର ରହେ ସବୁବେଳେ ମନ,

ଚିରଦିନ ରୋଗ ଭୋଗ କରେ ସେହି ଜନ ।

ଦର୍ପ ବଢ଼ୁଥାଏ ଯାର ବଢ଼ୁଥାଏ ଧନ,

ଯମ ଭ୍ରମେ କାହାକୁ କି ନ କରେ ନିଧନ ?

ବିଷୟ ଆଶକ୍ତ କରେ ନାହିଁଟି କାହାର

ମନ ଅନୁତାପ ନଳେ ଦଗ୍ଧ ଅନିବାର ?

ଲୋଭଠାରୁ ଅନ୍ୟ ଦୋଷ କି ଅଛି ସଂସାରେ ?

ଅନ୍ୟ କାଏ ପାପୀ ଅଛି ଖଳତା ଯାଠାରେ ?

ସୁଜନତା ଥିଲେ ଲାଭ କିସ ଅନ୍ୟ ଗୁଣେ ?

ନିଜର ମାହାତ୍ମ୍ୟ ଥିଲେ କି କାର୍ଯ୍ୟ ଭୂଷଣେ ?

ତପେ ଜପେ କିବା ଫଳ ସତ୍ୟ ଯାର ବଳ ?

ମନ ଯାର ଶୁଚି ତାର ତୀର୍ଥେ କିବା ଫଳ ?

ସୁବିଦ୍ୟା ଯାହାର ଥାଏ କି ଫଳ ତା ଧନେ ?

ଅପଯଶ ଥାଏ ଯେବେ କ୍ଷତି କି ମରଣେ ?

ବାସନା କରଇ ଯେହୁ ସାଧୁ ସହବାସ,

ପର ଗୁଣ ଦେଖି ଜନ୍ମେ ଯାହାର ଉଲ୍ଲାସ ।

ବିଦ୍ୟା ଲାଭେ ପ୍ରାଣପଣେ ବହୁ ଯତ୍ନ କରେ,

ଗୁରୁଜନ ପ୍ରତି ଯେହୁ ନମ୍ର ଭାବ ଧରେ ।

ନିଜ ପତ୍ନୀ ପ୍ରୀତି ପ୍ରତି ଅଛଇ ଯାହାର,

ଲୋକନିନ୍ଦା ଭୟ ହୃଦେ ଯେ କରେ ବିଚାର ।

ହରିଙ୍କ ଚରଣେ ସଦା ଥାଏ ଯାର ମନ,

ନିଜର ଦମନେ ଶକ୍ତି ଧରଇ ଯେ ଜନ ।

ଖଳସଙ୍ଗ ତ୍ୟାଗ ବ୍ରତ ଅଟଇ ଯାହାର,

ଏହିସର୍ବ ମହାତାଙ୍କ ପଦେ ନମସ୍କାର ।

ଛେଦନ କରିଣ ଚୂତ ଚମ୍ପକ ଚନ୍ଦନ,

ନିମ୍ୱ ବୃକ୍ଷ ରଖିଥାନ୍ତି କରିଣ ଯତନ ।

ମୟୁର କୋକିଳ ଆଉ ହଂସ କରି ବଧ,

ବାୟସେ ଆଦର କରି ପାଳିବାରେ ସାଧ ।

ହସ୍ତିର ବଦଳେ ଥାଏ ଗର୍ଦ୍ଦଭେ ଆଦର,

କର୍ପୂର କାର୍ପାସେ ଭେଦ ନ ଥାଏ ବିଚାର ।

ଯେ ଦେଶେ ଗୁଣିର ପ୍ରତି ଏପରି ଆଚାର,

ସେ ଦେଶର ଶ୍ରୀଚରଣେ ଲକ୍ଷ ନମସ୍କାର ।

ବୃକ୍ଷ ଛାଡ଼ି ଯାଏ ପକ୍ଷୀ ଶେଷ ହେଲେ ଫଳ,

ସାରସ ସରସୀ ଛାଡ଼େ ଶୁଖିଗଲେ ଜଳ ।

ମଧୁ ସରିଗଲେ ପୁଷ୍ପ ଛାଡ଼ଇ ଭ୍ରମର,

ଦଗ୍ଧ ବନ ଛାଡ଼ି ମୃଗ ଦୂରେ କରେ ଘର ।

ବେଶ୍ୟା ଛାଡ଼େ ଲମ୍ପଟକୁ ନ ପାଇଲେ ଧନ,

ରାଜ୍ୟଶୂନ୍ୟ ହେଲେ ରାଜା ଛାଡ଼େ ମନ୍ତ୍ରୀଗଣ ।

ସ୍ୱାର୍ଥବଶେ ବନ୍ଧୁସିନା ଅଟେ ଯେ ଯାହାର,

ସ୍ୱାର୍ଥ ତୁଟି ଗଲେ କେହି ନୁହଁନ୍ତି କାହାର ।

ପ୍ରତିଦିନେ ଗୃହ ମଧ୍ୟେ ସମାଗତ ଧନ,

ରୋଗ ଶୋକ ପରି ଶୂନ୍ୟ ଦେହ ଆଉ ମନ ।

ପ୍ରିୟତମା ଭାର୍ଯ୍ୟା ପୁଣି ମଧୁର ଭାଷିଣୀ,

ବଶୀଭୁତ ପୁତ୍ର, ବିଦ୍ୟା ଅର୍ଥ ପ୍ରଦାୟିନୀ ।

ଏ ଷଡ଼ ଦୁର୍ଲ୍ଲଭ ଧନ ଶୁଣ ମହାରାଜ,

ସଂସାରରେ ସୁଖ ପାଇଁ କରନ୍ତି ବିରାଜ ।

ବିହାୟସେ ବିହଙ୍ଗମେ କରନ୍ତି ବିହାର,

ତଥାପି ସେ ବ୍ୟାଧ ପାଶୁଁ ନ ପାନ୍ତି ନିସ୍ତାର ।

ଗଭୀର ଜଳରେ ମୀନ କରି ସନ୍ତରଣ

ଧୀବର ଜାଲରେ ପୁଣି ହୁଅନ୍ତି ପତନ ।

ଯେତେ ଦୂର ଯାଅ ପଛେ ଆହେ ଜୀବଗଣ,

ହସ୍ତ ପ୍ରସାରୀଣ କାଳ କରେ ଆକର୍ଷଣ ।

ଦୁଇ ଖଣ୍ଡ କରେ ତୃଣ ପଡ଼େ ଯେବେ କରେ,

ମାଟିରେ କାଟଇ ଗାର ବସିଣ ନଖରେ ।

ଦୁଇପାଦ ଦରଧୁଆ କରେ ଯେଉଁ ଜନ,

ଭଲ କରି ଦନ୍ତ ପନ୍ତି ନ କରେ ମାର୍ଜନ ।

ମୁଖ ନ ଧୋଇବା ଯୋଗେ ମଳି ଯା ବଦନେ,

କେଶରାଶି ରୁକ୍ଷ ଯାର ତଇଳ ବିହୁନେ ।

ଦୁଇ ସନ୍ଧ୍ୟା ନିଦ୍ରା ଯାଏ ହୋଇ ଅଚେତନ,

ଉଲଗ୍ନ ହୋଇଣ କରେ ଶଯ୍ୟାରେ ଶୟନ ।

ଉଦରସର୍ବସ୍ୱ ସଦା ଉଚ୍ଚହାସ ମୁଖେ,

ନିଜାଙ୍ଗେ ଆସନେ କରେ ବାଦ୍ୟ ଯେହୁ ସୁଖେ ।

ଏ ସବୁ ବିଷୟେ ସଦା ରତ ଯେବେ ମନ,

କୁବେର ବରୁଣ କିବା ଦେବ ନାରାୟଣ ।

ହେଲେ ସୁଦ୍ଧା ତାଙ୍କ ପ୍ରତି ପ୍ରୀତି କରି ଦୂର

ବିରକ୍ତରେ ଲକ୍ଷ୍ମୀଦେବୀ ହୁଅନ୍ତି ଅନ୍ତର ।

ଭୋଗେ ରୋଗ ଭୟ, କୁଳେ ଦୁର୍ନାମର ଭୟ,

ଧନେ ରାଜଭୟ, ମାନେ ଥାଏ ଦୈନ୍ୟ ଭୟ ।

ବଳେ ଶତ୍ରୁ ଭୟ, ରୂପେ ଯୁବତୀର ଭୟ,

ଶାସ୍ତ୍ରେ ବାଦି ଭୟ, ଗୁଣେ ହୁଏ ଖଳ ଭୟ ।

ଦେହେ ଯମ ଭୟ, ଭିନ୍ନ କିବା ଛଡ଼ା ଭୟ,

ସଂସାରେ କେବଳ ଏକା ବୈରାଗ୍ୟ ଅଭୟ ।

ଦିବସରେ ଚନ୍ଦ୍ର ଧରେ ଧୂସର ବରଣ,

ନାରୀର ନ ଥାଏ ରୂପ ତୁଟିଲେ ଯୌବନ ।

ଶୁଷ୍କହୋଇ ପଦ୍ମ ହୀନ ହେଲେ ସରୋବର

ହୁଏ ନାହିଁ ତାହା କେବେ ଶୋଭାର ଆଧାର ।

ଅତି ସୁପୁରୁଷ ସ୍ୱଭାବ ସୁନ୍ଦର,

ମାତ୍ର ମୁଖ ହୁଏ ଯେବେ ତାର ନିରକ୍ଷର ।

ରକ୍ଷାକର୍ତ୍ତା ପ୍ରଭୁ ହେଲେ ଧନ ପରାୟଣ,

ସୁଜନ ହୋଇଣ ହେଲେ ପରମ ନିର୍ଧନ ।

ଖଳଜନ ବାସକଲେ ରାଜାର ଭବନେ,

ଏହି ସାତ ଶଳ୍ପ ସମ ବୋଧ ହୁଏ ମନେ ।

ଶତ ମୁଦ୍ରା ଇଚ୍ଛା କରେ ଯେ ଜନ ନିର୍ଦ୍ଧନ,

ପାଇଲେ ଶତେକ ମୁଦ୍ରା ସହସ୍ରେ ମନନ ।

ସହସ୍ର ପାଇଲେ ଭାବେ ହେବ ଲକ୍ଷପତି,

ଲକ୍ଷପତି ହେଲେ ଭାବେ ହେବାକୁ ଭୂପତି ।

ଭୂପତି ଇଚ୍ଛଇ ପୁଣି ହେବେ ଚକ୍ରେଶ୍ୱର,

ଚକ୍ରେଶ୍ୱର ହେଲେ ଭାବେ ହେବି ପୁରନ୍ଦର ।

ପୁରନ୍ଦର ବ୍ରହ୍ମପଦ, ବ୍ରହ୍ମା ବିଷ୍ଣୁ ପଦ,

ବିଷ୍ଣୁ ଇଚ୍ଛା କରୁଥାନ୍ତି ଶିବଙ୍କ ସମ୍ପଦ ।

ଯେତେ ଚାହେଁ ତେତେ ପାଏ ତେବେ ଇଚ୍ଛାକରେ,

ପାମର ଦୁରାଶା ତାର ପେଟ କାହିଁ ଭରେ ?

ମିତ୍ରକୁ କରିବ ବଶ ସାଧୁ ଆଚରଣେ,

ଶତ୍ରୁକୁ କରିବ ବଶ ନୀତି-ବଳଦାନେ ।

ଲୋଭିକୁ କରିବ ବଶ ଧନ ବିତରଣେ,

ପ୍ରଭୁକୁ କରିବ ବଶ କାର୍ଯ୍ୟ ସମାପନେ ।

ସମ୍ମାନେ କରିବ ବସ ଯେତେକ ବ୍ରାହ୍ମଣ,

ବିଦ୍ୟାକୁ କରିବ ବଶ ହୋଇ ଏକମନ ।

ମନର ସଂଯମେ ରଖ ବଶେ ବନ୍ଧୁଗଣେ,

ସ୍ତବ କରି ବଶେ ରଖ ଅତିକ୍ରୁଦ୍ଧ ଜନେ ।

ଗୁରୁଙ୍କୁ ରଖିବ ବଶେ ସର୍ବଦା ବିନୟେ,

ମୁର୍ଖକୁ ରଖିବ ବଶେ ମିଷ୍ଟ କଥା ବ୍ୟୟେ ।

ପଣ୍ଡିତଙ୍କୁ ରଖ ବଶେ ଶାସ୍ତ୍ର ଆଳାପନେ,

ରସିକକୁ ରଖ ବଶେ ରସର କଥନେ ।

ଅନ୍ୟ ମାନେ ବଶ ହେବେ ସଦା ଶିଷ୍ଟାଚାରେ,

ଏତେ ଗୁଣେ ସର୍ବେ ବଶ ହୋଇବେ ସଂସାରେ ।

ଲଘୁ ହୋଇ ଯାଏ ଲୋକ କରେ ଯେ ପ୍ରାର୍ଥନା,

ଲମ୍ପଟ ହୋଇଲେ ଲୋକ ପାଇବ ଲାଞ୍ଛନା ।

ଅତି ବଢ଼ି ଗଲେ ଶିଘ୍ର ଛିଡ଼ିବ ନିଶ୍ଚୟ,

ଲୋଭ ଥାଏ ଯାର ତାର ଦୁର୍ନାମର ଭୟ ।

ଯୁଦ୍ଧ ନ ଜାଣିବା ଲେକ ହୁଏ ପରାଜିତ

ଦେଖି ପର ଦୋଷ ଦୁଷ୍ଟ ତୋଷେ ନିଜ ଚିତ୍ତ ।

ସନ୍ଦେହ ଜନ୍ମଇ ଯେ କରଇ ଦୋଷ,

ଯେ କହେ କୁବାକ୍ୟ ତାର ପ୍ରତି ସର୍ବେ ରୋଷ ।

ପଶାଖେଳେ ମତ୍ତ ହୁଏ ଅନୁକ୍ଷଣ,

ଅନନ୍ତ ଦୁଃଖର ଭାଗୀ ହୁଏ ସେହି ଜନ ।

ରାଜାର ଉଚିତ ଧର୍ମେ ଦେବା ସଦା ମତି,

ବୁଝିବା ସର୍ବଦା ଅମାତ୍ୟଙ୍କ ମତି ଗତି ।

ଭାବିଣ ଦେଖିବା ଅନ୍ୟ ଲୋକର ପ୍ରକୃତି,

ଦେଖିବା ଚରର ନେତ୍ରେ ରାଜ୍ୟ ରୀତି ନୀତି ।

କିବା କ୍ରୋଧ କିବା ସ୍ନେହ ରଖିବା ଚାପିଣ,

ସମୟ ବୁଝିଣ ହେବା ମୃଦ ବା କଠିଣ ।

ଯତନେ ରଖିବା ସଦା ନିଜର ଜୀବନ,

ମାତ୍ର ଯୁଦ୍ଧେ ତାର ମାୟା କରିବା ଛେଦନ ।

କୃପଣ ହୋଇଲେ ଲୋକ ଯଶ କାହିଁ ପାଏ ?

କ୍ରୋଧ ଥିଲେ ସବୁ ଗୁଣ ନଷ୍ଟ ହୋଇଯାଏ ।

ସତ୍ୟକଥା ନାହଁ ଯାର ଦମ୍ଭ ନାହିଁ ତାର ?

ପେଟର ଜାଳାରେ କାହିଁ ମାନ ଲଭେ ନର ?

କାମ ପାନାଦିର ଦୋଷେ ଧନ କ୍ଷୟ ପାଏ,

ବିପଦ ଘଟିଲେ ପୁଣି ଧୈର୍ଯ୍ୟ କାର ଥାଏ ?

ପ୍ରମାଦ ଘଟିଲେ ନଷ୍ଟ ହୋନ୍ତି ଦ୍ୱିଜଗଣ,

ବଂଶ ନଷ୍ଟ ହୁଏ ଯଦି ଥାଏ ଖଳଜନ ।

ବିନୟ ବିନଷ୍ଟ ହୁଏ ମତ୍ତତା ରହିଲେ,

ପୌରୁଷ ବିନିଷ୍ଟ ହୁଏ କୁକାର୍ଯ୍ୟେ ମାତିଲେ ।

ଦାରିଦ୍ର ବଶରୁ ହୁଏ ଆଦର ବିନାଶ,

ମମତାରେ ନଷ୍ଟ ହୁଏ ଆଣ୍ଟର ବିକାଶ ।

ଉତ୍‌ଖାତ ଦେଖିଲେ ପୁଣି କରଇ ରୋପଣ,

ପୁଷ୍ପିତ ଦେଖିଲେ ପୁଣି କରଇ ଚୟନ ।

ବଳଶୂନ୍ୟ ଶିଶୁ ଗଡ଼ି ବର୍ଦ୍ଧନ ନିୟତ,

ଅନୁନ୍ନତ ଦେଖି କରି ଶୀଘ୍ର କରେ ନତ ।

ଅବନତ ଦେଖି ପୁଣି କରଇ ଉନ୍ନତ,

ସଂହତି ଦେଖିଲେ ପୁଣି କରଇ ବିଯୁତ ।

ତୀକ୍ଷ୍ଣ କଣ୍ଟକିତ ହେଲେ ତାହା କରେ ଦୂର,

ମାନ ଦେଖି ତାହା ପୁଣି ସେଚନେ ତତ୍ପର ।

ପ୍ରୟୋଗେ ପରମ ପଟୁ ମାଳାକାର ବତ

ରହିବା ଉଚିତ ସୁଖେ ରାଜା ଅବିରତ ।

କିବା ଗୁରୁ କିବା ଲଘୁ ନ କରେ ବିଚାର,

ଅଣୁମାତ୍ର ଶଙ୍କା କେବେ ନ ଥାଏ ତାହାର ।

ରୂପ ବୃତ୍ତ ପୁରୁଷ ପରୀକ୍ଷା ନ କରଇ,

ଆପଣା ଅଭିଷ୍ଟ ପଥେ ଅବାଧେ ଧାମଇ ।

ଅପଯଶେ ହୁଏ ନାହିଁ କଷ୍ଟର ସଞ୍ଚାର,

ଅପଶବ୍ଦେ କ୍ଷୁବ୍ଧ ନୋହେ ଅନ୍ତର ତାହାର ।

ମୃତ୍ୟୁ, ମୂର୍ଖ-କବି, ଖଳ, କୁନୃପ ତସ୍କର,

ଏହାଙ୍କର କାର୍ଯ୍ୟ ଏକାରୂପ ନିରନ୍ତର ।

ବିଡାଳେ ଥାଏଟି ଯେବେ ଗର୍ତ୍ତର ବାହାରେ,

ସର୍ପ ଏକ ଥାଏ ପୁଣି ଗର୍ତ୍ତର ଭିତରେ ।

ସେମାନଙ୍କ ମଧ୍ୟେ ଯେବେ ପ୍ରବେଶେ ଇନ୍ଦୂର,

ଯେରୂପ ଦୁର୍ଗତି ସେହି କାଳେ ହୁଏ ତାର ।

ସେରୂପ ଦୁର୍ଗତି ଲାଭେ ପୁରୁଷ ନିୟତ,

ଦୁଇଟି ଗୃହିଣୀ ଥାଏ ଘରେ ଯାର ନିତ୍ୟ ।

ମକ୍ଷିକାର ଶିରେ ବିଷ ତକ୍ଷକର ଦାନ୍ତେ,

ବୃଶ୍ଚିକର ପୁଚ୍ଛେ ବିଷ ଅଛଇ ଜଗତେ ।

ମାତ୍ର କି ଆଶ୍ଚର୍ଯ୍ୟ ଦେଖ ଦୁଷ୍ଟ ଯେଉଁ ଜନ,

ତାହାର ସର୍ବାଙ୍ଗେ ବିଷଥାଏ ଅନୁକ୍ଷଣ ।

ଶ୍ଳେଷ୍ମା ଆଉ ଦୁର୍ଜନର ସମାନ ପ୍ରକୃତି,

କି ଆଶ୍ଚର୍ଯ୍ୟ ! ତାହାଙ୍କର ନ ହୁଏ ବିକୃତି ।

ମିଷ୍ଟ ରସେ ତାହାଙ୍କର ପ୍ରକୋପ ବର୍ଦ୍ଧନ,

କଟୁ ରସେ ମାତ୍ର ହୁଏ ଦର୍ପ ନିବାରଣ ।

ଖଳ ଆଉ କଣ୍ଟକର ଦୁଇ ପ୍ରତୀକାର,

ପାଦୁକାରେ ମୁଖଭଙ୍ଗ ଦୂରେ ପରିହାର ।

ଦୁର୍ଜନ ଇନ୍ଦୂର ସଙ୍ଗେ ଅଟଇ ସମାନ,

ପରର ଅନିଷ୍ଟ କରିବାରେ ସଦା ମନ ।

ଅକାରଣେ ବସ୍ତ୍ର କାଟି କରେ ଖଣ୍ଡ ଖଣ୍ଡ,

ନ ଖାଏ ଅପଣା ପେଟେ ପରେ ଦିଏ ଦଣ୍ଡ ।

ଉନ୍ନତି ସମୟେ ଯେଉଁ ଦୁର୍ମତି ସଂସାରେ,

ଅତିଶୟ ମନ ପୀଡ଼ା ଦିଅଇ ଅପରେ ।

ମୁଖେ କାଳି ଦେଇ ତାର ବିଧାତା ସଘନେ

ନିଶ୍ଚୟ ପତନ ଆହା ଘଟାନ୍ତି ଆପଣେ ।

ସାଧୁ ଲୋକ ପଖା ତୁଲ୍ୟ ଗୁଣ ସଦା ଧରେ,

ଦୁହିଙ୍କ ଜନମ ସିନା ମହତ ବଂଶରେ ।

ପ୍ରତ୍ୟେକ ଘୁରନ୍ତି ସଦା ସହି ତାପ ପ୍ରାଣେ

ଅପରର ତାପରାଶି ବିନାଶ କାରଣେ ।

ଲବଣୀଠାରୁ ଅଧିକ କୋମଳ ଅନ୍ତର

ସାଧୁର ଅଟଇ ଦେଖ ଥରେ ଭାବି ନର ।

ପର ମନସ୍ତାପେ ସଦା ସାଧୁହୃଦ ଗଳେ,

ସେ ତାପରେ ନବନୀତ କେବେ କି ତରଳେ ?

 

ଉଚ୍ଚଠାରୁ ଉଚ୍ଚତର ହୁଏ ଯେଉଁ ଜନ,

ସେହି ସିନା ତାର ଦୁଃଖ କରଇ ମୋଚନ ।

ମାତ୍ର ଯେତେ ନୀଚେ ଲୋକ ରହେ ଏ ସଂସାରେ,

ତାହା ମନ ଦୁଃଖ କି ସେ ନାଶି କେବେ ପାରେ ?

ଗ୍ରୀଷ୍ମକାଳେ ଦାବାନଳ କରଇ ଦହନ

ପର୍ବତର ଦେହ ଆଉ ବୃକ୍ଷଲତାଗଣ ।

ତା ପରେ ଉପରୁ ମେଘ ଢାଳି ଦେଇ ଜଳ

ମନବେଗେ ତାର ଦେହ କରଇ ଶୀତଳ ।

ନିମ୍ନଦେଶେ ଥାଏ କେତେ ନଦୀ ଅନିବାର,

ପର୍ବତର କରେ ତାହା କେଉଁ ଉପକାର ?

ଧର୍ମ କର୍ମ କରିବାରେ ହୁଅଇ ତତ୍ପର,

ରଖଇ ମଧୁର ବାକ୍ୟ ମୁଖେ ନିରନ୍ତର ।

ଦାନ କରିବାର ପାଇଁ ବ୍ୟସ୍ତ ଅନୁକ୍ଷଣ,

ବନ୍ଧୁଜନେ ନ କରଇ କଦାପି ବଞ୍ଚନ ।

ଗୁରୁଜନ ପ୍ରତି ସଦା ହୁଅଇ ବିନତ,

ଗାମ୍ଭୀର୍ଯ୍ୟ ରଖଇ ନିଜ ଚିତ୍ତେ ଅବିରତ ।

 

ଶାସ୍ତ୍ରର ବିହତାଚାରେ ରତ ସର୍ବକ୍ଷଣ,

ବୁଝିବାକୁ ଗୁଣୀ ଗୁଣ ଦକ୍ଷ ବିଲକ୍ଷଣ ।

ହରିସେବା ବ୍ରତେ ସଦା ବିଶେଷ ନିପୁଣ,

ସାଧୁ ହେଲେ ଲୋକେ ଥାଏ ଏହି ସବୁ ଗୁଣ ।

•••

 

ଦ୍ୱିତୀୟ ହାର

 

କଥା, କାନ୍ତି, କୀର୍ତ୍ତି, କୁଳକାରୁଣ୍ୟ ‘କ’ କାର

ପଞ୍ଚ ‘କ’ ରେ ମାନବର ପ୍ରଧାନ୍ୟ ପ୍ରଚାର ।

ଜନକ, ଜନନୀ, ଜନ୍ମଭୂମି, ଜନାର୍ଦ୍ଦନ,

ଜାହ୍ନବୀର ଜଳ-ପଞ୍ଚ ସଦୁର୍ଲଭ ଧନ ।

ଜାମାତା, ଜଠର, ଜାୟା ଆଉ ଜଳାଶୟ,

ଜାତ ବେଦା ଘେନି ଏହି ପଞ୍ଚ ମହାଶୟ ।

ଯେତେ ଦେଲେ ଏହାଙ୍କର ପେଟ ନ ପୂରଇ,

ତୃପ୍ତ କରିବାକୁ ଗଲେ ସର୍ବସ୍ୱ ସରଇ ।

ମନ ମଧୁକର ମେଘ ମାନିନୀ ମଦନ,

ମର୍କଟ ମରୁତ ମତ୍ସ୍ୟ ମଦ ମା ଭୀଷଣ ।

ଏ ଦଶ ମକାର ଅତି ଚଞ୍ଚଳ ଧରାରେ,

ସ୍ଥରହୋଇ ନ ରହିନ୍ତି କୌଣସି ପ୍ରକାରେ ।

ବସ୍ତୁ, ବପୁ, ବାକ୍ୟ, ବିଦ୍ୟା, ବିଭବ ଯାହାର

ସଂସାରେ ବିରାଜ କରେ ଏ ପଞ୍ଚ ‘ବ’ କାର ।

ଯେଣେ ଇଚ୍ଛା ତେଣେ ଅବା ଯାଉ ସେହି ନର,

ମିଳିବ ନିଶ୍ଚୟ ତାକୁ ଗୌରବ ଆଦର ।

ସମ୍ପଦ, ସନ୍ତାନ, ସତ୍ୟ, ସଭା, ସରସ୍ୱତୀ,

ସତ୍ କୃପା, ସକୃତ ସପ୍ତ ସୁଦୁର୍ଲଭ ଅତି ।

ମଳୟ ପର୍ବତ ପାର୍ଶ୍ୱେ ଯାହାଙ୍କର ବାସ,

ଚନ୍ଦନେ ଇନ୍ଧନଭାବ ହୁଏ ବାରମାସ ।

ରତ୍ନାକର ତୀରେ ବାସ ଅଟଇ ଯାହାର,

ରତନେ ପାଷାଣଭାବ ଉପୁଜେ ତାହାର ।

କାଶ୍ମୀର ପ୍ରଦେଶେ ବାସ ଅଟଇ ଯାହାର,

କୁଙ୍କୁମେ ଆଦର କେବେ ନ ଥାଏ ତାହାର ।

ମହାମୂଲ୍ୟ ଦ୍ରବ୍ୟସଦା ରହିଲେ ନିକଟେ,

ଲୋକର ତାହାର ପତି ଅନାଦର ଘଟେ ।

ଚୌଷଠି କଳାର ମଧ୍ୟେ ମହାରତ୍ନ ଗାନ,

ଆକାଶର ମହାରତ୍ନ ସୂର୍ଯ୍ୟ ବିଦ୍ୟମାନ ।

ସଭାର ପରମରତ୍ନ ବିଦ୍ୱାନ ଯେ ଜନ,

ଶ୍ରବଣର ରତ୍ନ ହରିନାମ ସଂକୀର୍ତ୍ତନ ।

ରଜନୀର ମହାରତ୍ନ ଦେବ ନିଶାକର,

ପୃଥିବୀର ମହାରତ୍ନ ରାମ ରାଜବର ।

ପୁରୁଷ ସର୍ବଦା ଶକ୍ତ ହୋଇଲେ ସଂସାରେ,

ନାରୀର ପ୍ରାଧାନ୍ୟ କେବେ ରହିଣ କି ପାରେ ?

ଶୁକ୍ଳପକ୍ଷେ ଚନ୍ଦ୍ର ଯେବେ ହୁଏ ବଳବାନ,

ରହିଣ ପାରେ କି କେବେ ତାରକା ପ୍ରାଧାନ୍ୟ ?

ଘର୍ଷଣ, ଛେଦନ, ତାପ, ପୁଣି ବିତାଡ଼ନ,

କରେ ଯଥା ସୂବର୍ଣ୍ଣର ପରୀକ୍ଷା ଗହଣ ।

ତଥା କୁଳ, ଶୀଳ, ବିଦ୍ୟା, କର୍ମ ଚାରି ଧନେ,

ନରର ପରୀକ୍ଷା ସଦା ହୁଅଇ ଭୁବନେ ।

ସମୁଦ୍ର କିବା ଫଳ ରଖିଣ ରତନ ?

ବନ୍ଧ୍ୟର ବା କେଉଁ ଫଳ ପାଳି ହସ୍ତିଗଣ ?

ମଳୟର କିବା ଫଳ ପୋଷିଣ ଚନ୍ଦନ ?

ପରହିତ ଲାଗି ଅଟେ ମହତଙ୍କ ଧନ ।

ଚନ୍ଦ୍ର ସୂର୍ଯ୍ୟେ ରାହୁ ଗ୍ରହ କରଇ ପୀଡ଼ନ,

ନରଗଣେ ହସ୍ତୀ ସର୍ପ ଲଭନ୍ତ ବନ୍ଧନ ।

ଦାରିଦ୍ର ଦୁଃଖରେ ଦୁଃଖୀ ହୁଏ ବୁଦ୍ଧିମାନ,

ବିଧାତା ଅଟଇ ଏଣୁ ଏକା ବଳବାନ ।

କରି କୁମ୍ଭ ଦେଲା ସିଂହ ବିଦୀର୍ଣ୍ଣ କରିଣ,

ରକ୍ତବୋଳା ମୁକ୍ତା ଏକ ପଡ଼ିଲା ଖସିଣ ।

କୋଳି ପରା ଭାବି ତାହା ହରଷିତ ମନେ

ତୋଳିନେବ ବୋଲି ବ୍ୟାଧପତ୍ନୀ ଗଲା ବନେ ।

ଦୁଇ ହାତେ ଚିପି ଦେଖି ଶକ୍ତ ଅତିଶୟ ।

ଫିଙ୍ଗି ଦେଲା- ଶୁକ୍ଳରଙ୍ଗ ଦେଖିଣ ବିସ୍ମୟ ।

ଯଦି ହୁଏ ମହୀଜନ ଅସ୍ଥାନେ ପତିତ,

ଏରୂପ ଦୁର୍ଗତି ତାର ହୁଅଇ ନିୟତ ।

ସୁରମ୍ୟ ସୁବର୍ଣ୍ଣମୟ ସୁମେରୁ ଭୂଧରେ,

ଅଥବା ରଜତ ମୟ କୈଳାସ ନଗରେ ।

ପଡ଼ିଥାଏ ଯେଉଁ ବୃକ୍ଷ ହୋଇଣ ବିଲୀନ,

ଥାଏ ତାହା ସେହି ବୃକ୍ଷ ଆହା ଚିର ଦିନ ।

ସାଧୁ ଅଟେ ଏକମାତ୍ର ମଳୟଭୂଧର,

ଏ ଜଗତେ ସର୍ବେ ଯାହା କରନ୍ତି ଆଦର ।

ଯେହେତୁ କରିଣ ତାର ଆଶ୍ରୟ ଗ୍ରହଣ,

ସାହାଡ଼ା କୁରୁଚି ନିମ୍ୱ ହୁଅଇ ଚନ୍ଦନ ।

ନିର୍ବାଣ ପ୍ରଦୀପେ କିବା ଫଳ ତୈଳ ଦାନେ ?

ଚୋର ପଳାଇଲେ କିବା ଫଳ ସାବଧାନେ ?

ବିଦ୍ୟାରେ କି ଫଳ ତୁଟିଗଲେ ବାଲ୍ୟକାଳ ?

ବୋହିଗଲେ ଜଳ ବନ୍ଧ ବନ୍ଧନେ କି ଫଳ ?

ନୂତନ ବସନ ପୁଣି ନୂତନ ଭୂଷଣ,

ନୂତନ ପଠନ ନିତ୍ୟ ନୂତନ ଭବନ ।

ସମସ୍ତ ନୂତନ ବସ୍ତୁ ପରମ ସୁନ୍ଦର,

ମାତ୍ର ପୁରାତନ ଭୃତ୍ୟ, ଅନ୍ନ ମନୋହର ।

ଏ ସଂସାର ବିଷବୃକ୍ଷେ ଜାଣିବ ନିଶ୍ଚୟ,

ସର୍ବଦା ଦୁଇଟି ଫଳ ଅଛି ସୁଧାମୟ ।

ପ୍ରଥମଟି କାବ୍ୟ-ସୁଧା-ରସ-ଆସ୍ୱାଦନ,

ଦ୍ୱିତିୟଟି ସାଧୁଜନ ସଙ୍ଗେ ଆଳାପନ ।

କରୁ ପଛେ ଭୀମ କରି-କୁମ୍ଭ ବିଦାରଣ,

କରୁ ପଛେ ବାୟୁବେଗେ ସର୍ବଦା ଗମନ ।

କରୁ ସିଂହ ଗିରିଶୃଙ୍ଗ ସଦା ଅଧିକାର,

ମାତ୍ର ପଶୁ ବିନା ଅନ୍ୟ କି ନାମ ତାହାର ?

କାକଚଞ୍ଚୁ ସୁବର୍ଣ୍ଣରେ କରିଣ ବନ୍ଧନ,

ମାଣିକ୍ୟେ ପ୍ରତ୍ୟେକ ପାଦ କଲେଟି ଭୂଷଣ ।

ପ୍ରତ୍ୟେକ ଡେଣାରେ ଗଜମୂକ୍ତା ଦେଲେ ଛାଇ,

କାକ ଛଡ଼ା ରାଜହଂସ କେ ତାକୁ କହଇ ?

ସୁମଧୁର ଆମ୍ର ଫଳ କରିଣ ଭକ୍ଷଣ ?

କୋକିଳ କି ଅହଂକାର କରଇ ଧାରଣ ?

ମାତ୍ର ବେଙ୍ଗ ଗୋଳାଜଳ ଯଦି କରେ ପାନ ?

ତାହାର କର୍କଶ ଶବ୍ଦେ ଫାଟିଯାଏ କାନ ।

ରୋହି ମାଛ ବାସ କରେ ଅଗାଧ ଜଳରେ,

ତେବେ ତାର ଅହଙ୍କାର ନ ଥାଏ ମନରେ ।

ମାତ୍ର ଦଣ୍ଡିକିରି ଅଳ୍ପ ଜଳେ କରି ବାସ,

ଫରଫର ହୋଇ ବୁଲି ଶୀଘ୍ର ହୁଏ ନାଶ ।

ସଦାଶୟ ବ୍ୟକ୍ତି ଯେବେ ଅତୁଳ ବିଭବେ

ଥାଏ ତେବେ ଅହଙ୍କାର ନ ବହଇ ଲବେ ।

ମାତ୍ର ନୀଚାଶୟ ବ୍ୟକ୍ତି ଅଳପ ବିଭବେ

ଅହଙ୍କାରେ ମତ୍ତ ହୋଇ ଶୀଘ୍ର ନାଶ ଲଭେ ।

କୋକିଳ ଜଳଦାଗମେ ଦର୍ଦୁର ଶବଦ

ଶୁଣିବା ମାତ୍ରକେ ରହେ ହୋଇଣ ସ୍ତବଧ ।

ମୂର୍ଖର ପ୍ରଳାପ ବାକ୍ୟେ ଯେ ସଭା ଧ୍ୱନିତ,

ସେଠାରେ ପଣ୍ଡିତ ପକ୍ଷେ ମଉନ ଉଚିତ ।

ମଣିକୁ ପାଦରେ ଯେବେ କରିବ ଧାରଣ,

କାଚକୁ କରିବ ଯେବେ ଶିରର ଭୂଷଣ ।

ତଥାପି ଯେ ସ୍ଥାନେ ରହୁ ଆଉ ମଣି,

ଯେ କାଚ ଅଟେ ସେ କାଚ ଯେ ମଣି, ସେମଣି !

ମୟୁର ନିବାସ ଅଟେ ପର୍ବତ ଶିଖରେ,

ମାତ୍ର ତାର ବନ୍ଧୁ ମେଘ ଆକାଶ ଉପରେ ।

ଦେବ ଦିବାକର ରହେ ଲକ୍ଷ ଯୋଜନରେ,

ପ୍ରେୟସୀ ପଦ୍ମିନୀ ତାର ଜଳର ଉପରେ ।

ଦ୍ୱିଲକ୍ଷ ଯୋଜନେ ଚନ୍ଦ୍ର ଆକାଶର ତଳେ,

ପ୍ରଣୟିନୀ କୁମୁଦିନୀ ମାତ୍ର ରହେ ଜଳେ ।

ଏହି ସବୁ ପରସ୍ପର ରହି କେତେ ଦୂରେ

ବନ୍ଧା ରହିଛନ୍ତି ଦେଖ ପଣୟର ଡୋରେ ।

ପ୍ରଗାଢ଼ ପ୍ରଣୟ ଯାର ପ୍ରତି ରହେ ଯାର,

ଯେତେ ଦୂରେ ଥିଲେ ପଥ ଦୂର ନୋହେ ତାର ।

ଭଲ ଅଟେ ସିଂହ-ବ୍ୟାଘ୍ର-ପରିପୂର୍ଣ୍ଣ ବନ,

ଭଲ ଅଟେ ତୁଣଶଯ୍ୟା ବଲଳ-ବସନ ।

ଭଲ ଅଟେ ଫଳ-ପତ୍ରେ ଜୀବନ ଧାରଣ,

ଭଲ ଅଟେ ଝର ଜଳେ ତୃଷା ନିବାରଣ ।

ମାତ୍ର ଭଲ ନୋହେ କେବେ ହୋଇ ଧନହୀନ

ବନ୍ଧୁଗଣ ମଧ୍ୟେ ବାସ ସହି ଅପମାନ ।

ନିନ୍ଦା କରେ ମାତା ପିତା ନକରେ ଆଦର,

ସମ୍ଭାଷଣ ନ କରଇ ନିଜ ସହୋଦର ।

ଭୃତ୍ୟ ବାକ୍ୟବାଣ ହାଣେ, ନ ମାନେ ନନ୍ଦନ,

ଗୃହିଣୀ ନ କରେ କେବେ ପ୍ରେମ ଆଳାପନ ।

କାଳେ କିଛି ଦେବା ଭୟେ ବନ୍ଧୁ ଦୂରେ ରହେ,

ଭେଟ ହେଲେ ଚାଲିଯାଏ କଥା ସେ ନ କହେ ।

ଏଣୁ ବୁଦ୍ଧିମାନ କର ଅର୍ଥ ଉପାର୍ଜନ,

ଅର୍ଥବଳେ ବଶୀଭୂତ ହେବେ ସର୍ବଜନ ।

ନାହିଁ ଯାର କୁଳ ତାର କୁଳ ହୁଏ ଧନେ,

ପ୍ରଧାନ ଉପାୟ ଧନ ବିପଦ ମୋଚନେ ।

ଧନଠାରୁ ଶ୍ରେଷ୍ଠ ବସ୍ତୁ କି ଅଛି ଭୁବନେ ?

ଧନ ଉପାର୍ଜନ କର ସଦା ପ୍ରାଣପଣେ ।

ନରର ଦାସତ୍ୱ କରେ ନାହିଁ କେବେ ନର,

ଅର୍ଥର ଦାସତ୍ୱ ନର କରେ ନିରନ୍ତର ।

ପରମ ସମ୍ମାନ ଲଭେ ଧନୀ ଜନ,

ଅତି ଅପମାନ ତାର ଯେ ଜନ ନିର୍ଧନ ।

କିବା ନୀଚ ଅତି ନୀଚ ଅଥବା ଉନ୍ନତ,

କୌଣସି ଉପାୟେ କାର୍ଯ୍ୟ କର ସମ୍ପାଦିତ ।

ବାମନ ଦେବର ଦେଖ ଏପରି ନିୟମ,

ଶୂକର ନୃସିଂହ କେବେ, କେବେ ତ୍ରିବିକ୍ରମ ।

ଉଦ୍ୟୋଗୀ ପୁରୁଷ ପାଶେ ଲକ୍ଷ୍ମୀ ସଦା ରହେ,

ଦୈବବଳେ ସବୁମିଳେ କାପୁରୁଷ କହେ ।

ଦୈବ ନାମ ଦୂର କରି ରେ ଅବୋଧ ନର,

ଉଦ୍ୟୋଗ ସର୍ବଦା କର ହୋଇଣ ତତ୍ପର ।

ଯେତେ ଅଛି ଅପମାନ ସମ୍ମୁଖେ ଧରିଣ,

ଯେତେ ମାନ ଅଛି ତାହା ପଶ୍ଚାତେ ରଖିଣ ।

ବୁଦ୍ଧିମାନ ଜନ କରେ ସ୍ୱକାର୍ଯ୍ୟ ସାଧନ,

କାର୍ଯ୍ୟ ନାଶହେବା ଅଟେ ମୂର୍ଖର ଲକ୍ଷଣ ।

ଭାବିଲେ କି ହେବ ଯାହା ହୋଇଗଲା ଥରେ,

ଯେ ଲୋକ ମରିଛି ବାରେ ସେ କି ଆଉ ମରେ ।

ଗତ କଥାପାଇଁ ଚିନ୍ତା ନୁହଇ ଉଚିତ,

ଭବିଷ୍ୟତ ପାଇଁ ଚିନ୍ତା ସର୍ବଦା ବିହିତ ।

ସମୟ ନୋହିଲେ କାହିଁ ଲୋକ ମରେ,

ବିଦ୍ଧ ହୁଏ ଯେବେ କେବେ ଶତଶତ ଶରେ ।

ଯେତେବେଳେ ସେ ଲୋକର ସମୟ ଆସିବ,

କୁଶ କଣ୍ଟକରେ ତାର ମରଣ ଘଟିବ ।

ସମୁଦ୍ରରେ ମଗ୍ନ ଯଦି ହୁଏ କେଉଁ ଜନ,

ପର୍ବତ ଉପରୁ ତଳେ ହୁଅଇ ପତନ ।

ଦୁରନ୍ତ ତକ୍ଷକ ସର୍ପ ତାହାକୁ ଧରିଣ

ବିଷ ଦନ୍ତ ଦେଇ ଅଙ୍ଗ ଯେବେ କରେ ଛିନ୍ମ ।

ତଥାପି ତାହାର ପ୍ରାଣ ନୁହଇ ସଂହାର,

କିଛିମାତ୍ର ପରମାୟୁ ଥାଏ ଯେବେ ତାର ।

କୃଷ୍ଣ ପଦ ଚିନ୍ତା କରେ ସର୍ବଦା ଯେ ଜନ,

ସେହି ପାଦେ ପୁଣି ଯାର ଭକ୍ତି ସର୍ବକ୍ଷଣ ।

ନାହିଁ କିଛି ଭୟ ତାର ସୁଦୁର୍ଗମ ବନେ,

ନାହିଁ କିଛି ଭୟ ତାର ମରଣେ ବା ରଣେ ।

ଯେ କାବ୍ୟର ସୁଧାରସ ପିଇ ଅବିରଳ

ବିହ୍ୱଳ ହୁଅନ୍ତି ସଦା ପଣ୍ଡିତଙ୍କ ଦଳ ।

ସେ କାବ୍ୟ ଦାମ୍ଭିକ ଜନ ଦେଖିଲେ ନୟନେ

ସେକ୍ଷଣି ମଜ୍ଜିବ ତାର ଦୋଷ ଅନ୍ୱେଷଣେ ।

ଖେଳେ ସଦା ରାଜହଂସ ଯେଉଁ ସରୋବରେ,

ଦୋଳଇ ପଦ୍ମୀନୀ ସଦା ଯାହାର ଉପରେ ।

ଜଳରେ ବୁଡ଼ାଇ ଥଣ୍ଟ ବକ ତାର ତୀରେ,

ଶାମୁକ ଖୋଜଇ ବସି ନିତି ଧୀରେ ଧୀରେ ।

ଯେପରି ମକ୍ଷିକା ଦେଖି ସୁରମ୍ୟ ବଦନ,

କେବଳ ତା କ୍ଷତ ସ୍ଥାନ କରେ ଅନ୍ୱେଷଣ ।

ସେପରି ସୁରମ୍ୟ କାବ୍ୟ ଦେଖିଲେ ନୟନେ,

ମଜ୍ଜେ ଖଳ ସଦା ତାର ଦୋଷ ଅନ୍ୱେଷଣେ ।

ସୂର୍ଯ୍ୟୋଦୟ ହୁଏ ଯେବେ ପଶ୍ଚିମ ଦିଗରେ,

ପଦ୍ମ ଫୁଟେ କେବେ ଯଦି ପର୍ବତ ଶିଖରେ ।

ସୁମେରୁ ପର୍ବତ ଯଦି ଚଳେ ଅବିରଳ,

ପ୍ରବଳ ଅନଳ ଯଦି ହୁଏ ସୁଶୀତଳ ।

ତଥାପି ଯଥାର୍ଥ ସାଧୁ ହୁଏ ଯେଉଁ ଜନ,

ଅନ୍ୟଥା ନ ହୁଏ କେଭେଁ ତାହାର ବଚନ ।

କୁଗ୍ରାମେ ବସତି କରେ ଯେ ଜନ ସତତ,

କୁଜନ ସେବାରେ ହୋଇଥାଏ ସଦା ରତ ।

ଯାହାର ଅଦୃଷ୍ଟେ ନିତ୍ୟ କୁଖାଦ୍ୟ ଆହାର,

କ୍ରୋଧଭରା ଭାର୍ଯ୍ୟାଘେନି ଯେ କରଇ ଘର ।

ବିଧବାକୁମାରୀ ମୂର୍ଖପୁତ୍ର ଘରେ ଯାର,

ଅଗ୍ନିବିନା ସଦା ପୋଡ଼ୁଥାଏ ଦେହ ତାର ।

ମୌନଭାବେ ଥିବା ଭଲ ସର୍ବଦା ଉଚିତ,

ତଥାପି କହିବା ମିଥ୍ୟା ନୁହଇ ବିହିତ ।

ପୁରୁଷ ହୋଇଣ ପଛେ କ୍ଳୀବ ସମ ଥିବ,

କେବେ ପରନାରୀ ସଙ୍ଗେ ଆସକ୍ତ ନୋହିବ ।

ଭଲ ଅଟେ ଭିକ୍ଷାଦ୍ୱାରା ଯାପିବା ଜୀବନେ,

ତଥାପି ନୋହିବ କେବେ ସୁଖୀ ପରଧନେ ।

ଉଚିତ ସ୍ୱଚ୍ଛନ୍ଦେ ରହି ତେଜିବା ପରାଣ,

ତଥାପି ଖଳର ବାକ୍ୟେ ଦେବେ ନାହିଁ କାନ ।

ଇନ୍ଦ୍ରର ଶରୀରେ ଦୁଷ୍ଟଚିହ୍ନ ଯାଏ ଦେଖା,

ଚନ୍ଦ୍ରର ଶରୀରେ କେତେ କଳଙ୍କର ରେଖା ।

ପାଳିତ ହୋଇଲେ କୃଷ୍ଣ ଗୋପାଳର ଘରେ,

ବଶିଷ୍ଠ ଲଭିଲେ ଜନ୍ମ ବେଶ୍ୟାର ଉଦରେ ।

ରତିପତି ହୋଇ ସୁଦ୍ଧା ଅନଙ୍ଗ ମଦନ,

ଯାହା ପାଏ ତାହା ଖାଏ ଲୋଭୀ ହୁତାଶନ ।

ବ୍ୟାସଦେବ ମତ୍ସ୍ୟଗନ୍ଧା କୁମାରୀ ନନ୍ଦନ,

ସମୁଦ୍ରର ଲୁଣୀ ଜଳ ପାନେ ଅଭାଜନ ।

ଉପପତି-ଜାତ ପଞ୍ଚ ପାଣ୍ଡୁର ନନ୍ଦନ,

ଚିତା-ଭସ୍ମ-ଅସ୍ଥି-ଧାରୀ ଦେବ ତ୍ରିଲୋଚନ ।

ଦେଖାଯାଏ ନାହିଁ କେବେ କାହିଁ ତ୍ରିଭୁବନେ

ଦୋଷ ନ ଥାଇଣ ଅଛି କେହି ଲୋକ ଜଣେ ।

କିବା ଲକ୍ଷ ଲକ୍ଷ ଯେତେ ସୁନ୍ଦର ତୁରଙ୍ଗ,

କିବା ଲକ୍ଷ ଲକ୍ଷ ଧେନୁ ଅଥବା ମାତଙ୍ଗ ।

କିବା ସ୍ୱର୍ଣ୍ଣପାତ୍ର କିବା ରୌପ୍ୟପାତ୍ର ବାର,

କିବା ଏହା ସସାଗରା ଧରା ସୁବିସ୍ଥାର ।

ସୁନିର୍ମଳ-ବଂଶଜାତ କିବା ଯେତେ ସତୀ,

ତାହାଙ୍କର କୋଟି କୋଟି କନ୍ୟା ଗୁଣବତୀ ।

ଏହି ସବୁ ଦାନେ ଯେତେ ପୂଣ୍ୟ ଏ ଭୁବନେ,

ତାଠାରୁ ଅଧିକ ପୂଣ୍ୟ ଏକ ଅନ୍ନ ଦାନେ ।

ସୁପାତ୍ରେ କଲେଟି ଦାନେ ମିଳେ ବହୁ ଧନ,

ଧନ ପ୍ରଭାବରେ ହୁଏ ପୂଣ୍ୟ ଉପାର୍ଜ୍ଜନ ।

ପୂଣ୍ୟ ପ୍ରଭାବରେ ଲୋକ ଯାଏ ସ୍ୱର୍ଗ ପୂରେ,

ପୁନଶ୍ଚ ଧନାଢ଼୍ୟ ହୋଇ ସୁଖ ଭୋଗ କରେ ।

କୁପାତ୍ରେ କରେ ଯେ ଦାନ ହୁଏ ଧନହୀନ,

ଧନହୀନ ହେଲେ ପାପ କରେ ପ୍ରତିଦିନ ।

ପାପରୁ ନରକେ ପଡ଼ି କଷ୍ଟେ କାଳ ହରେ,

ପୁନଶ୍ଚ ଦରିଦ୍ର ହୋଇ ପାପ କର୍ମ କରେ ।

ଯେ ବନ୍ଧୁତା ବଦ୍ଧ ଅଛି ଆଜନ୍ମ ସମୟ,

ତାଠାରେ ଭେଦ ଜନ୍ମାଏ ଚକ୍ରି ଅତିଶୟ ।

ମନ୍ଥନ ଦଣ୍ଡର ଚକ୍ରେ ଦଧି ଯେବେ ପଡ଼େ,

ନବନୀତ ଘୋଳ ଏହି ଭେଦ କରି ଛାଡ଼େ ।

ନିଜର ଅର୍ଜିତ ଧନେ ଧନୀ ଯେଉଁ ଜନ,

‘ଉତ୍ତମ’ ବୋଲିଣ ସେହୁ ହୁଅଇ ଗଣନ ।

ପିତାର ଅର୍ଜିତ ଧନେ ଧନି ଯେଉଁ ଜନ,

‘ମଧ୍ୟମ’ ବୋଲିଣ ସେହୁ ହୁଅଇ ଗଣନ ।

ଭ୍ରାତୃଧନେ ଧନି ଯେହୁ ସେ ଅଟେ ‘ଅଧମ’,

ସ୍ତ୍ରୀଧନେ ଯେ ଜନ ଧନୀ ସେହି ନରାଧମ ।

କୃପଣର ଯେତେ ଧନ ସମସ୍ତ ଅସାର,

କେଉଁ ଭୋଗ ନ କରଇ, ଛଟପଟ ସାର ।

କୁକୁର ଆକଣ୍ଠ ଜଳେ ଧାଏଁ ପିପାସରେ,

ତେବେ ମୁଖ ନ ବୁଡ଼ାଇ ଚାଟିଚାଟି ମରେ ।

ବିପଦରେ ନିପତିତ ହୋଇ ଯେଉଁ ଜନ

ସ୍ୱୀୟ ସାଧୁଭାବ କେବେ ନ କରେ ବର୍ଜନ ।

ତେଜସ୍ୱୀ ତାହାର ପରି କେ ଅଛି ଭୁବନେ ?

ଧନ୍ୟ ବୋଲି ଗୁଣ୍ୟହୁଏ ସଦା ସେହି ଜନେ ।

ପୃଥିବୀର ନାନା ଦେଶେ ନିତ୍ୟ ପର୍ଯ୍ୟଟନ,

ପଣ୍ଡିତ ଲୋକର ସଙ୍ଗେ ସଦା ସମ୍ମିଳନ ।

ନିରନ୍ତର ରତ ବହୁଶାସ୍ତ୍ର ପଢ଼ିବାରେ,

ଅନୁକ୍ଷଣ ଗତିବିଧି ରାଜାର ସଭାରେ ।

ଏହି ଚାରି କାର୍ଯ୍ୟେ ଯେହୁ ଥାଏ ସର୍ବକ୍ଷଣ,

ଚତୁରର ଚୂଡ଼ାମଣି ହୁଏ ସେହି ଜନ ।

ଜଳ ପୂର୍ଣ୍ଣା ନଦୀ, ନାରୀ, ନୃପର ଆଦର,

ବଣିକର ସ୍ନେହେ ଆସ୍ଥା ନ ରଖ ହେ ନର ।

ଯେ ଜନ ମାନବ-ଜନ୍ମ କରିଣ ଧାରଣ

ଯାଚକର ଅଭିଳାଷ ନ କରେ ପୂରଣ ।

ସେହି ଜନ ପୃଥିବୀର ପକ୍ଷେ ମହାଭାର,

ସମୁଦ୍ର-ପର୍ବତ-ବୃକ୍ଷେ ଭାର କିବା ତାର ?

କାକ ଶୁଚି, ଦ୍ୟୁତକାର ସତ୍ୟବାଦୀ ଅତି,

ସର୍ପ କ୍ଷମାଶୀଳ, ନାରୀ କାମଶୂନ୍ୟମତି ।

କ୍ଳୀବ ଧୀର, ମଦ୍ୟପାୟୀ ତତ୍ତ୍ୱ ଚିନ୍ତାକାରୀ,

ନୃପତି ପରମ ବନ୍ଧୁ ଚିରଦିନ ଧରି ।

ଏ ସବୁ ଆଶ୍ଚର୍ଯ୍ୟ କଥା କେ ଶୁଣିଛ କାହିଁ ?

କେଉଁଠାରେ ଶୁଣା ଅବା ଦେଖା ଏହା ନାହିଁ ।

ମହତର ନିନ୍ଦା ଯେବେ କରିବ ବାସନା,

ଗୁଣଗୁଡ଼ି ତେବେ ତାର କରିବ ଗଣନା ।

ନୀଚର ପ୍ରଶଂସା ପାଇଁ କର ଯେବେ ଗତି,

ଦୋଷ ଗଣନାରେ ତାର ଦିଅ ସଦା ମତି ।

ଗୁଣଗ୍ରାହୀ, ଗୁଣି ଜନେ ଦେଖ ଯେବେ ଦୋଷ,

କେତେବେଳେ ତାର ପ୍ରତି ନ କରିବ ରୋଷ ।

ଚନ୍ଦ୍ରଠାରେ ଥାଏ କେତେ କଳଙ୍କର ଦାଗ,

ତେବେ ତାର ପ୍ରତିକାର ନାହିଁ ଅନୁରାଗ ?

ନବମଲ୍ଲିକାର ଗନ୍ଧ ଛାଡ଼ିଣ ଭ୍ରମର

ଅବଶେଷେ ପଡ଼େ ଯାଇ ଯୂଥିକା ଉପର ।

ଯୂଥିକା ଛାଡ଼ିଣ ପୁଣ ଧାମେ ଚମ୍ପାବନେ,

କିଛିକାଳ ପରେ ଯାଇଁ କମଳ କାନନେ ।

କ୍ଷଣକ ବସିଣ ତହିଁ ଚାହିଁଲା ଭ୍ରମର,

ଗଗନେ ସହସା ଦେଖା ଦେଲେ ନିଶାକାର ।

କମଳିନୀ ଦେଖି ତାହା ମୁଦିଲା ନୟନ,

ଭ୍ରମର ପଡ଼ିଣ ଫାନ୍ଦେ କରଇ ରୋଦନ ।

ସନ୍ତୋଷ ଯାହାର ମନେ କେବେ ନାହିଁ ରହେ,

ଅଶେଷ ଦୁର୍ଗତି ଭବେ ନିଶ୍ଚୟ ସେ ସହେ ।

ପର ସୁଖ ଦେଖି ଯାର ଛାତି ଫାଟି ଯାଏ,

ସକଳ ଲୋକର ପ୍ରତି ଘୃଣା ଯାର ଥାଏ ।

ସନ୍ତୋଷର ଲେଶ ମାତ୍ର ନାହିଁ ଯାର ମନେ,

ଯେ ଜନ ରାଗିଣ ଯାଏ ସାମାନ୍ୟ କାରଣେ ।

 

ସଦା ମନେ ଯାର ଭୟ ହୁଅଇ ଜନନ,

ଖାଇ ପର ଭାତ ଯେହୁ କାଟଇ ଜୀବନ ।

ଏ ସଂସାର ଜାଣ ନିଶ୍ଚେ ଏହି ଷଡ଼ ଜଣ,

ହୁଅନ୍ତି ଅଶେଷ ଦୁଃଖ ଭୋଗୀ ସର୍ବକ୍ଷଣ ।

ଲକ୍ଷ୍ମୀ ଲାଭ କରେ ନିତ୍ୟ କାର୍ଯ୍ୟଦକ୍ଷ ଜନ,

ମିତହାରୀ ସୁସ୍ଥ ଦେହ ରୁହେ ଅନୁକ୍ଷଣ ।

ମହାସୁଖେ ରହେ ସେହି ରୋଗ ନାହିଁ ଯାର,

ସର୍ବଦା ଉଦ୍ୟୋଗ ଯାର ବିଦ୍ୟା ହୁଏ ତାର ।

ପରମ ବିନୀତ ଭାବେ ରହେ ଯେଉଁ ଜନ,

ଧର୍ମ ଅର୍ଥ ଯଶଃ ତାର ଭାଗ୍ୟେ ଅନୁକ୍ଷଣ ।

ବିବାହେ ବିପଦେ ଯଜ୍ଞେ ଶତ୍ରୁ ବିନାଶନେ,

କୀର୍ତ୍ତୀକର କାର୍ଯ୍ୟ ମିତ୍ର ସଂଗ୍ରହ-କରଣେ ।

ପ୍ରିୟତମା ରମଣୀର ମାନସ ରଞ୍ଜନେ,

ଦରିଦ୍ର ବନ୍ଧୁର ଚିତ୍ତ ତୁଷ୍ଟି ସମ୍ପାଦନେ ।

ସାଧିୁଜନ ବହୁଜନ କରେ ଯେବେ ବ୍ୟୟ,

ମିଳଇ ଗୌରବ ତେବେ ଜାଣିବ ନିଶ୍ଚୟ ।

 

କୁନ୍ତି ଦ୍ରୌପଦୀଙ୍କ ନାମ ଶୁଣିଛ ଭାରତେ,

ପ୍ରଣୟ ରଖିଣ ଥିଲେ ପଞ୍ଚ ସ୍ୱାମୀ ସାଥେ ।

ତେବେ ତାହାଙ୍କର ନାମ ସତୀ ଏ ସଂସାରେ,

ପୁଣ୍ୟଥିବା ଲୋକ ଭବେ ଯଶ ଲାଭ କରେ ।

•••

 

ତୃତୀୟ ହାର

ସମୟ

 

ସମୟ ଅଟଇ ସବୁଠାରୁ ମୂଲ୍ୟବାନ,

ଏପବ୍ୟୟ କରେ ଯେହୁଁ ନାହିଁ ତାର ଜ୍ଞାନ ।

ହଜିଗଲେ କାଳ ଆଉ ନ ଆସଇ କେବେ,

ସଂସାରର ସବୁଅର୍ଥ ଆଣି ଦେବ ଯେବେ ।

ସମୟ, ବିଶ୍ୱାସ, ବଳ, ଏକେ ଏକେ ଧନ୍ୟ,

ସମସ୍ତ ପୃଥିବୀ ହେଳେ କରନ୍ତି ଶାସନ ।

ଯେତେବେଳେ ଯେଉଁ କାର୍ଯ୍ୟ ନ କଲେ ସେବେଳେ,

ନ ହୁଅଇ କିଛି ଭଲ ତାହା ଅନ୍ୟ ବେଳେ ।

ଯେଉଁ ସମୟରେ କିଛି କାର୍ଯ୍ୟ ନ ହୁଅଇ,

ଇତିହାସେ ତାର ନାମ ଲେଖା ନ ରହଇ ।

ଉପସ୍ଥିତ ମୁହୁର୍ତ୍ତକୁ ହେଳା କର ଯେବେ,

ସମସ୍ତ ସମୟ ନିଜେ ହଜିଯାଏ ତେବେ ।

ଦଶୋଟି ଆଗାମୀ କାଲି ଅପେକ୍ଷା ଆଜକ

କାର୍ଯ୍ୟ ସମ୍ପାଦନେ ଅଟେ ସୁଫଳ ଦାୟକ ।

ଗତ କାଲି ଆଜଦିନ ଶିଷ୍ୟ ବୋଲି ଗଣା,

କାଳନାଶାଠାରୁ ଭଲ ନଷ୍ଟ ଟଙ୍କାମୁଣା ।

କିଛି ନ କରିଣ ବସିଥାଏ ଯେଉଁ ଜନ,

ନ ପାଏ ସମୟ କାର୍ଯ୍ୟ ପାଇଁ କଦାଚନ ।

ସମୟ ତୁମ୍ଭର ଯେବେ ନ ହୁଏ ଚାକର,

ନିଜେ ନିଜେ ତାର ଯାଇ ହୁଏ ଅନୁଚର ।

ପ୍ରତିକାର୍ଯ୍ୟ ପାଇଁ ଅଛି ନିର୍ଦ୍ଦିଷ୍ଟ ସମୟ,

ଯେ କାଳେ ଯେ କାର୍ଯ୍ୟେ ଲୋଡ଼ା କଲେ ତାହା ବ୍ୟୟ ।

ଏକଦିନ ମୂଲ୍ୟ ତିନି ଦିବସେ ସମାନ,

ନିଶ୍ଚୟ ଜାଣିବ ନରେ ନୁହଇ ଏ ଆନ ।

କାର୍ଯ୍ୟ ଶୂନ୍ୟଲୋକ ଦିଏ ସମୟ ଯନ୍ତ୍ରଣା,

ମୁହୁର୍ତ୍ତେ ଘଟାଏ ମହାବିପଦ ଘଟଣା ।

କାଳ ସଙ୍ଗେ ଧୈର୍ଯ୍ୟ ଯେବେ ହୁଅଇ ମିଳନ,

ହୁଅଇ କ୍ଷମତା ବଳୁଁ ଅଧିକ ସାଧନ ।

ଦେଷ କଲାଲୋକ ଦିଏକାଳ ପ୍ରତିଫଳ,

ଅସମ୍ଭବ ବୋଧ ହୁଏ ଜନେ ଭାବି ଫଳ ।

ଉପାସନା କରେ ଯେହୁ ଅଟଳ ବିଶ୍ୱାସେ,

ଭବିଷ୍ୟତ କାଳ ଫଳେ ରହିବ ତା ବଶେ ।

ବାଲ୍ୟ ଯୁବାକାଳ ଫଳରୂପେ ଭବିଷ୍ୟତ,

ବୃଦ୍ଧ ସମୟରେ ଆସିହୁଏ ଉପଗତ ।

ଭବିଷ୍ୟତ-ଭବିଷ୍ୟତ-ବକ୍ତା ଯେଉଁ ଜନ,

ଅତୀତେ କରିଣ ଥାଏ ସେ ଜନ୍ମଗ୍ରହଣ ।

ଏଣୁ ତିନି କାଳ କାର୍ଯ୍ୟ ଶୁଣ ଏବେ ଭାଇ,

ଅତୀତ କାଳଟି ଲୋଡ଼ା ଜ୍ଞାନଲାଭ ପାଇଁ ।

ବର୍ତ୍ତମାନ କାଳ ଲୋଡ଼ା କାର୍ଯ୍ୟର ସାଧନେ,

ଭବିଷ୍ୟତ ରଖିସଦା ସୁଖର କାରଣେ ।

ଯାଉଛି ସମୟ କ୍ରମେ ଆସୁଛି ମରଣ,

ଏହାଜାଣି ନରେ ସଦା ହେବ ସାବଧାନ ।

ଭବିଷ୍ୟତ ସୁଖ ଦାନେ ନ କରେ ଭାବନା,

ଗତ କଥା ଗାଇ କେବେ ନ କର ଶୋଚନା ।

ହରି ବିଦ୍ୟାମାନ ଥିବା ଭାବି ହୃଦଗତେ

ଆଜୀବନ କାର୍ଯ୍ୟେ ରତ ଥାଅ ଅବିରତେ ।

•••

 

ଶୈଥିଲ୍ୟ

 

ସମୟର ଚୋର ଅଟେ ବିଳମ୍ୱ ଜଗତେ,

ବର୍ଷ ପରେ ବର୍ଷ ହରି ନଅଇ ଗୁପତେ ।

ନିର୍ବୋଧ ମଠୁଆ ଲୋକ ଚାହିଁ ବସିଥାଏ,

ତା ଆଗେ ସମୟ ଦ୍ରୁତ ବେଗେ ଚାଲି ଯାଏ ।

ଏକ ସମୟରେ ଯାହା ହେବାକୁ ରହିବ,

କୌଣସି କାଳରେ କେଭେଁ ସେ କରା ନ ଯିବ ।

ସନ୍ଧ୍ୟା ନ ରଖ ଯାହା ହୋଇବ ସକାଳେ,

ରଖିଲେ ସେକାର୍ଯ୍ୟେ ଶେଷ ନୋହେ କେଉଁ କାଳେ ।

ମୁହହୂର୍ତ୍ତେ ବିଳମ୍ୱଠାରୁ ତିନିଘଡ଼ି ଆଗେ,

ଉପସ୍ଥିତ ହେବା ଭଲ ସ୍ୱକାର୍ଯ୍ୟେ ଆବେଗେ ।

ଅଶ୍ୱ ଚୋରିଗଲା ପରେ ଶାଳେ ଚାବି ଦାନ,

ମଠୁଆ ଲୋକର କାର୍ଯ୍ୟ ଅଟଇ ଏସନ ।

ମନୁଷ୍ୟଜୀବନେ ଶାପ ଅଟଇ ଅବିଳମ୍ୱ

ବ୍ୟବସାୟ ଆତ୍ମତୁଲ୍ୟ ଅଟେ ଅବିଳମ୍ବ ।

•••

 

ପରିଶ୍ରମ

 

ଜୟ କରି ପାରେ ସକଳଙ୍କୁ ପରିଶ୍ରମ,

ସଂସାରରେ ପୁରସ୍କାରଭାଗୀ ଏକ କର୍ମ ।

ଦାରିଦ୍ର୍ୟ-ବିରକ୍ତ-ପାପ-ରାକ୍ଷସ କବଳୁଁ,

ନର ରକ୍ଷା ପାଏ ସଦା ପରିଶ୍ରମ ବଳୁଁ ।

ଆନନ୍ଦ ମଧୁରତର ହୁଏ ସଦା କର୍ମେ,

ବିଶ୍ରାମ ମଧୁର ତାର ହୁଏ ପରିଶ୍ରମେ ।

ପରିଶ୍ରମ ବିନା କେବେ ନ ମିଳଇ ଶାନ୍ତି,

ଆଳସ୍ୟ ଭୋଗ କରାଏ ସର୍ବଦା ଅଶାନ୍ତି ।

ଅତିତିକ୍ତ ଅଟେ ପରିଶ୍ରମ-ବୃକ୍ଷଚେର,

ମାତ୍ର ଫଳଗୁଡ଼ିକ ତାର ଅତ୍ୟନ୍ତ ମଧୁର ।

ଅତୀତର ପରିଶ୍ରମ ବର୍ତ୍ତମାନ ସୁଖ,

ପରିଶ୍ରମ କେତେବେଳେ ଦିଏ ନାହିଁ ଦୁଃଖ ।

ଆସକ୍ତି କରଇ ପରିଶ୍ରମକୁ ଲାଘବ,

ପରିଶ୍ରମ ପକ୍ଷେ କିଛି ନୋହେ ଅସମ୍ଭବ ।

ଆରମ୍ଭ କରିଣ ଶେଷ ନ କରେ ଯେ କର୍ମ,

ବୃଥା ହୋଇଯାଏ ତାର ସବୁ ପରିଶ୍ରମ ।

ଅଟଇ କର୍ମଶୀଳତା ଧର୍ମ-ମାତା, ପିତା,

ଅଧ୍ୟବସାୟ ଅଟଇ ସୌଭାଗ୍ୟର ଦାତା ।

ଯେ ଜନ ସାଧୁ ଉଦ୍ଦେଶ୍ୟ ପୋଷି ସଦା ମନେ,

ସମୟ ଉତ୍ସର୍ଗକରେ ଅଦମ୍ୟ ଯତନେ ।

ଜୀବନ ମରଣକ୍ଳେଶ ଭୋଗ ନ କରଇ,

ପ୍ରକୃତି ସାଙ୍ଗରେ ଶାନ୍ତିପଥ ସେ ଗମଇ ।

•••

 

ଆଳସ୍ୟ

 

ଆଳସ୍ୟ ବୋଲାଏ ଭବେ ଦାରିଦ୍ର୍ୟର ମାତା,

ଅଳସୁଆ ଲୋକ ଅଟେ ଭିକ୍ଷାଜୀବୀ ଭ୍ରାତା ।

ସୁସାଧ୍ୟ କାର୍ଯ୍ୟ ଆଳସ୍ୟେ ହୁଅଇ ଅସାଧ୍ୟ,

ମାତ୍ର ଅସାଧ୍ୟ ହୁଅଇ ପରିଶ୍ରମ ସାଧ୍ୟ ।

ସୁପ୍ତ ସିଂହଠାରୁ ଭଲ ଭୁକିବା କୁକୁର,

ଅଜଗର ମୁଖେ କାହିଁ କି ଦିଏ ଆହାର ?

ପାପର ପୋଷଣକାରୀ କର୍ମର କଳଙ୍କ,

ଦୋଷ ରଙ୍ଗଭୂମି ଜଡ଼ଲୋକର ମସ୍ତକ ।

କିଛି ନ କରିଣ ଯେହୁ ଖାଲି ବସିଥାଏ,

ନିଜ ବୁଦ୍ଧି ଯାହା ଥାଏ ତାହା ନିଜେ ଖାଏ ।

ମାଙ୍କଡ଼ସା ଜାଲ ପରି ଆଳସ୍ୟ ପ୍ରଥମେ

ଆଶ୍ରିତ ଲୋକକୁ ଫାନ୍ଦେ ରଖେ କ୍ରମେ କ୍ରମେ ।

ଅବଶେଷେ ଆହା ଲୌହ ଶୃଙ୍ଖଳ ପ୍ରକାରେ,

ଶକ୍ତ ହୋଇ ବନ୍ଦ କରେ ନ ଛାଡ଼େ ବାହାରେ ।

 

ଯତ୍ନ କରି କାର୍ଯ୍ୟେ ଫଳ ନ ମିଳିବା ଶ୍ରେୟ,

ତଥାପି ଆଳସ୍ୟେ ବଶ ନୁହଇ ବିଧେୟ ।

•••

 

କର୍ମ

 

ଜଗତେ ଜନର ଗୁରୁ ଅଟେ ଏକା କର୍ମ,

ନ ସେବେ ତା ପାଦେ ଯେହୁ ଅଟେ ସେ ଅଧମ ।

ଅବିରତ କର୍ମେ ରତ ଥାଏ ଯେଉଁ ଜନ,

ତାହା ପାଶେ ଆସେ ନାହିଁ ପାପ-ପ୍ରଲୋଭନ ।

ଭୋଗେ ନାହଁ କେବେ ସେହି ଦୁଃଖାନଳ ତାପ,

ଆଜୀବନ ଭୋଗକରେ ସେ ସୁଖ ଅମାପ ।

ଭଲ କର୍ମେ ମନ ଯେବେ ଦେବ ସଦାବେଳେ,

ମନ୍ଦ କର୍ମ ଆଶ୍ରି ପାରେ ନାହିଁ କେତେବେଳେ ।

କର୍ମର ପୂର୍ବରେ ସୁଖ ଥାଏ ଅବିରତ,

କର୍ମ ନ ସାଧିଲେ ସୁଖ ନୁହଇ ଆୟତ୍ତ ।

କର୍ମ ଲୋକବଶ ଅଟେ ମାତ୍ର ନୋହେ ଫଳ,

କର୍ମ କର ନ ଭାବିଣ ହେବାକୁ ବିଫଳ ।

କର୍ମୁ ହେଲେ ଅନ୍ତର ସେ କରେ କୋପ ମୁଖ,

ଅନୁସରି ଥିଲେ ସଦା ଦିଏ ହସି ସୁଖ ।

 

କର୍ମଲୋକ ସଙ୍ଗେ ପ୍ରାତୁଁ ଶଯ୍ୟାରୁ ଉଠଇ,

ସନ୍ଧ୍ୟାହେଲେ ତାର ସଙ୍ଗେ ବିଶ୍ରାମ କରଇ ।

•••

 

ଇଚ୍ଛା ଓ ଧୈର୍ଯ୍ୟ

 

ଇଚ୍ଛାଥିଲେ ରହିଥାଏ ଉପାୟ ସକଳ,

ଇଚ୍ଛୁକ ଲୋକର କାର୍ଯ୍ୟ ନୁହଇ ବିଫଳ ।

ଇଚ୍ଛା କଲା କାର୍ଯ୍ୟ ଯେବେ କରି ନ ପାରିବ,

ତେବେ ଯାହା କରିପାର ସେ କାର୍ଯ୍ୟ କରିବ ।

ଇଚ୍ଛା ଧୈର୍ଯ୍ୟ ଧନ ଆଉ ସମୟ ମିଳନେ

ସଦା ଦକ୍ଷ ହୁଏ ଲୋକ ଅସାଧ୍ୟ ସାଧନେ ।

ଧୈର୍ଯ୍ୟଗୁଣ ରହିଥାଏ ଯେଉଁ ଲୋକଠାରେ,

ଯାହା ଇଚ୍ଛା କରେ ଭବେ ତାହା କରିପାରେ ।

ଧୈର୍ଯ୍ୟ ଦୂରକରେ ଯେତେ ଭବେ ଅଛି ଦୁଃଖ,

ମୂହୂର୍ତ୍ତକ ଧୈର୍ଯ୍ୟ ଦିଏ ଦଶ-ବର୍ଷ ସୁଖ ।

ଉତ୍ତମ ଭେଷଜ ଧୈର୍ଯ୍ୟ ଦୁଃଖ-ରୋଗ ନାଶେ,

କ୍ଷତର ମଲମ ବୋଲି ବିଜ୍ଞ ବୈଦ୍ୟ ଭାଷେ ।

ବାଲି ଜମା ହୋଇ ହୁଏ ମହତ ପର୍ବତ,

ମୂହୂର୍ତ୍ତ ମୂହୂର୍ତ୍ତ ହୋଇ ବର୍ଷ ହୁଏ ଗତ ।

 

ପାଦେ ପାଦେ ଚାଲି ଦେଶେ ଦେଶେ ଯାଏ ଜନ,

ଚୋଟେ ଚୋଟେ ହାଣୁଁ ବୃକ୍ଷହୁ ଅଇ ପତନ ।

ଧୈର୍ଯ୍ୟ ଧରି କାର୍ଯ୍ୟ ଯେବେ କରିବ ସତତ,

ସୁଫଳ ନିଶ୍ଚୟେ ଶେଷେ ହେବ ଉପଗତ ।

•••

 

ସ୍ନେହ

 

ସ୍ନେହ ଆଉ ସତ୍ୟ ଭବେ ଅଟଇ ଅମଲ୍ୟ,

ପ୍ରତିବାସିଠାରେ ସ୍ନେହରଖ ନିଜ ତୁଲ୍ୟ ।

ନିଜ ଭ୍ରାତାଠାରେ ସ୍ନେହ ନ କରେ ଯେ ଜନ,

ଯା ସଙ୍ଗେ କାଟଇସଦା ଦୁଃଖେ ସୁଖେ ଦିନ ।

ସେ କାହୁଁ ଜାଣିବ ସ୍ନେହ ଈଶ୍ୱରଙ୍କ ପ୍ରତି

ଯା ପାଶେ ନ ପାରେ ଗମି ତାର ଦୃଷ୍ଟିଶକ୍ତି ।

ସକଳ ଜୀବରେ ସ୍ନେହ ଯେ ଜନ ରଖଇ,

ଜାଣିବ ନିଶ୍ଚୟ ଐଶୀ ଶକ୍ତି ସେ ବହଇ ।

ପିତା ମାତାଠାରେ ସ୍ନେହ ସର୍ବଧର୍ମ-ମୂଳ,

ସ୍ନେହ-ବଳଜଗତରେ ଅଟଇ ଅତୁଳ ।

ସ୍ନେହ କେବେ ନୋହେ ଭବେ କୁଫଳଦାୟକ,

କଥା ନୋହେ କାର୍ଯ୍ୟ ଅଟେ ତା ପରିଚାୟକ ।

ଖଡ଼୍ଗ ବିନା କରେ ସ୍ନେହ ଜଗତ ସାଧନ,

ରଜ୍ଜୁ ବିନା କରିପାରେ ଏକା ସେ ବନ୍ଧନ ।

 

ଜୀବନ ପରମ-ସୁଖ ଏକା ସ୍ନେହ-ଧନ,

ତା ନୟନେ ଉଚ୍ଚ ନୀଚ ଅଟଇ ସମାନ ।

ପ୍ରକୃତ ସେନେହ କେବେ ନୁହଇ ପୁରୁଣା,

ନିତି ବଢ଼ୁ ଥାଇ କ୍ରମେ ନ ଭଜଇ ଉଣା ।

ଅବିଶ୍ୱାସ ପ୍ରବେଶିଲେ ହୁଏ ବିଦୂରିତ,

ପ୍ରତାରଣାଶୂନ୍ୟ ସ୍ନେହ ଅଟଇ ଉଚିତ ।

•••

 

ନାରୀ ଓ ବିବାହ

 

ପ୍ରକୃତି ଗଠନକାରୀ ନାରୀ ଏକା ଭବେ,

ଦିଅଇ ପ୍ରଥମ ଶିକ୍ଷା ବାଲ୍ୟେ ସେ ମାନବେ ।

ସତୀତ୍ୱ ଅଟଇ ତାର ସଦା ସାର ଧନ,

ସୌନ୍ଦର୍ଯ୍ୟ ଅଟଇ ସିନା ଗର୍ବର କାରଣ ।

କୁରୂପା ଅଟଇ ମାତ୍ର ଧର୍ମଶୀଳା ଯେବେ,

ପତିର ମୁକୁଟରୂପେ ଗଣ୍ୟ ହୁଏ ତେବେ ।

ନାରୀର ପ୍ରଧାନ ଧର୍ମ ଅଟଇ ମୌନତା,

ମୂଖରା ନାରୀର ମନ ଧରେ ଅସ୍ଥିରତା ।

ଗୁପ୍ତ କଥା ନ ପ୍ରକାଶ ନାରୀର ଅଗ୍ରତେ,

ଯାହା ସେ ନ ଜାଣେ ତାହା ରଖଇ ଗୁପତେ ।

ନାରୀବଶ ଜନ ଭବେ ଭୋଗଇ ଲାଞ୍ଛନା,

ସୁରା ଆଉ ନାରୀ ଯୋଗେ ମିଳଇ ଯନ୍ତ୍ରଣା ।

କାଞ୍ଚନ, ରମଣୀଯୋଗେ ଜଗତ ଶାସିତ,

କାଚ ଆଉ ନାରୀ ସଦା ବିପଦଗ୍ରଥିତ ।

 

ଦର୍ପଣେ ଆଦର ଯେଉଁ ନାରୀ କରେ ଅତି,

ଗୃହ କର୍ମେ କେତେବେଳେ ନ ଥାଇ ତା ମତି ।

ପୁରୁଷଠାରୁ ଅଧିକ ଦାୟିତ୍ୱ ସଂସାରେ

ଅର୍ପିତ ହୋଇଣ ଥାଏ ସଦା ନାରୀଠାରେ ।

ଶତେଗୁଣ ଶିକ୍ଷାହୀନ ପୁରୁଷ ଅପେକ୍ଷା

ଅଶିକ୍ଷିତ ନାରୀ ଭାର ସମାଜରେ ଲେଖା ।

ବିବାହ ଅଟଇ ଗାଢ଼ ବନ୍ଧନ ସଂସାରେ,

ଲଭ ସେ ବନ୍ଧନ ସଦା ହେଜିବୁଝି ନରେ ।

ବିବାହ ଶବ୍ଦଟି ଅତି ମଧୁର ଶ୍ରବଣେ,

ମଧୁରତା ତୁଟେ ଶୀଘ୍ର ତା ସ୍ୱାଦ ଗ୍ରହଣେ ।

ଲଭିବାକୁ ସେ ବନ୍ଧନ ନ ହୁଅ ତତ୍ପର,

ଛେଦନ ନ ହୁଏ ଯେଉଁ ବନ୍ଧନ ସତ୍ୱର ।

ପେଟ ପୋଷିବାକୁ ଶକ୍ତି ହୋଇ ନାହିଁ ଯାର,

ବିବାହ ଅଟଇ ତାର ପକ୍ଷେ ମହାଭାର ।

କି ଉଚ୍ଚ ନୀଚ ସମାଜେ ପୁରୁଷ ବା ନାରୀ,

କା ପକ୍ଷେ ବାଲ୍ୟ ବିବାହ ନୋହେ ହିତକାରୀ ।

 

ଧନ ଲୋଭେ କନ୍ୟା ଧନୀ ଗୃହରୁ ଗ୍ରହଣ

କଲେ ନିଜ ସ୍ୱାଧୀନତା ହୁଅଇ ହରଣ ।

ଦାମ୍ପତ୍ୟ ପ୍ରଣୟ ସୁଖ ଇଚ୍ଛେ ଯେଉଁ ଯନ,

ନିଜ ସମ ଗୃହୁଁ କନ୍ୟା କରିବ ଗ୍ରହଣ ।

ପତ୍ନୀଠାରେ ଧୈର୍ଯ୍ୟ, ପତିଠାରେ ଜ୍ଞାନ ଥିଲେ,

ଗୃହବାସେ ସୁଖଶାନ୍ତି ଅବାଧାରେ ମିଳେ ।

ଛିଦ୍ରହୀନ ଗୃହଯଥା ପତ୍ନୀହୀନ ନର,

ପତିହୀନ ପତ୍ନୀଯଥା ଭିତ୍ତିଶୂନ୍ୟ ଘର ।

ସମନା ନାରୀ ଅଟଇ ଜୀବନର ସୁଖ,

କୁମନା ଅଟଇ ସଦା ଜୀବନର ଦୁଃଖ ।

ଅପବ୍ୟୟୀ ନାରୀ ଯାର ଘରେ ରହିଥାଏ,

କେତେବେଳେ ତାର ଧନ ବୃଦ୍ଧି ନାହିଁ ପାଏ ।

ଗୃହର ଚାବି ପରାଏ ପତ୍ନୀକୁ ଭାବିବ,

ତାର ସଙ୍ଗେ ସଦଭାବେ ସର୍ବଦା ଚଳିବ ।

•••

 

ଜୀବନ ଓ ମରଣ

 

ଜୀବନେ କେବଳ ଅଟେ ପରିଶ୍ରମ ସାର,

ମରଣ ଅଟଇ ମାତ୍ର ବିଶ୍ରାମ ଆଗାର ।

ଜନମ ହୋଇଲେ ଲୋକ ନିଶ୍ଚୟ ମରଇ,

ବୃକ୍ଷର ପତନ ହେଲେ ଭୂମିରେ ପଡ଼ଇ ।

ସୁଚିନ୍ତା ସୁକାର୍ଯ୍ୟେ ଯେହୁ କାଟଇ ଜୀବନ,

ଧନ୍ୟ ବୋଲି ଲୋକେ ସେହୁ ହୁଅଇ ଗଣନ ।

ସୁସ୍ଥିର ଜୀବନ ଏକା ଅଚଇ ତାହାର,

ସଦାବେଳେ ଧର୍ମେ ମତି ରହଇ ଯାହାର ।

ଅଦ୍ଧେର୍କ ଜୀବନ କଟିଯାଏ ଯେତେବେଳେ,

କିସ ତାହା ଲୋକ ଏହା ବୁଝେ ସେତେବେଳେ ।

ଜୀବନ ଗୋଟିଏ ପଥ ବିଧାତା ଗଢ଼ିଛି,

ହାତେ ଦୁଃଖ ହାତେ ସୁଖ ମାପି ବିଛାଇଛି ।

ଜୀବନ ଆଦ୍ୟରେ ଭୋଗ କେବଳ କ୍ରନ୍ଦନ,

ମଧ୍ୟେ ଅସନ୍ତୋଷ ଭୋଗ କରୁଥାଏ ମନ ।

 

ଶେଷରେ ମରଣ ଆହା ହୋଇଣ ହତାଶ,

ସଂସାରେ ନୁହଇ କାର କେବେ ସୁଖ ଲେଶ ।

ସୁଖରେ ବଞ୍ଚିଲେ ଧନ୍ୟ ଅଟଇ ଅଳ୍ପାୟୁ,

ଶ୍ରେୟ ନୁହେ ଦୁଃଖେ ବଞ୍ଚି ହୋଇବା ଦୀର୍ଘାୟୁ ।

ଯେତେ ଦୀର୍ଘକାଳ ଲୋକ ବଞ୍ଚଇ ଜଗତେ,

ତେତେ ଦୁଃଖ ରାଶି ଆସି ମିଳେ ତା ଅଗ୍ରତେ ।

କେହି ଲୋକ ଭାବେ ନାହିଁ ଆପଣା ଜୀବନ,

ଅଳ୍ପ ଦିନ ପରେ କାଳେ ହୋଇବ ହରଣ ।

କ୍ରମେ ଶେଷ ହୁଏ ବତି କଲେ ଅଗ୍ନିଦାନ,

ମୃତୁ ଆଗମନ ଭିନ୍ନ କିଛି ନୋହେ ପ୍ରାଣ ।

ଉତ୍ତମ ଲୋକର ମୃତୁ ନିଶ୍ଚୟ ଘଟଇ,

ମାତ୍ର ତାର ନାମ କାଳ ନ ପାରେ ନିଭାଇ ।

ମୃତଲୋକ ନିନ୍ଦା ଯେଉଁ ପାମର କରଇ,

ସେ ଘୋର ନରକଭାଗୀ ନିଶ୍ଚୟ ହୁଅଇ ।

ବିଶ୍ୱ ଚଟି ଘର ସିନା ଜୀବନ ଭ୍ରମଣେ,

ଯେ ଭ୍ରମଣ ଶେଷ ହୁଏ କେବଳ ମରଣେ ।

 

କାହିଁକି ଆସିଛ ଭାଇ ଏ ବିଶ୍ୱ-ଭବନ

ଭାବି କାର୍ଯ୍ୟ କର ଚାହିଁ ଅଗ୍ରତେ ମରଣ ।

•••

 

ସଦାଚାର ପଥ

 

ଭଲ କାର୍ଯ୍ୟକଲେ ଭୟ ନ ଥାଏ କାହାକୁ,

ଭଲ ଯେ କରଇ ଭଲ ଫଳ ମିଳେ ତାକୁ ।

ଅଧିକାଂଶ ଲୋକ ଯେଉଁ ପଥରେ ଗମନ୍ତି,

ସେ ପଥ ପ୍ରତ୍ୟେକେ ଅଟେ ନିରାପଦ ଅତି ।

ଲୋକଦ୍ୱାରା ଯେଉଁ କାର୍ଯ୍ୟ ହୋଇଛି ସାଧନ,

ପ୍ରତିଲୋକ କରି ପାରେ ତାହା ସମ୍ପାଦନ ।

ଯେ କାର୍ଯ୍ୟେ ଲଜ୍ଜିତ ହେବ ସେ କାର୍ଯ୍ୟ ନ କର,

ପ୍ରଶଂସିତ କାର୍ଯ୍ୟେ ସଦା ଦୃଢ଼ ଇଚ୍ଛା ଧର ।

ଯେବେ କାର ଇଚ୍ଛା ହୁଏ କୁକାର୍ଯ୍ୟ କରଣେ,

ଆଗାମୀ କାଲି ପର୍ଯ୍ୟନ୍ତ ରଖ ତା ସାଧନେ ।

ସୁକାର୍ଯ୍ୟ କରଣେ ଇଚ୍ଛା ହେବ ଯେତେବେଳେ

ଆରମ୍ଭିବ ଅବାଧରେ ତାହା ସେତେବେଳେ ।

ନିଜେ ଯେଉଁ କାର୍ଯ୍ୟ କରିପାର ସମ୍ପାଦନ,

ପ୍ରତିନିଧିଦ୍ୱାରା ତାହା ନ କର ସାଧନ ।

 

ନିଜେ ଯେଉଁ କାର୍ଯ୍ୟ କରିବାକୁ ହେବ ଭୀତ,

ଅନ୍ୟେ ତାହା କରିବାକୁ ଦେବା ଅନୁଚିତ ।

ଯେ କାର୍ଯ୍ୟେ ତୁମ୍ଭର କିଛି ସମ୍ୱନ୍ଧ ନ ଥିବ,

ସେ କାର୍ଯ୍ୟେ ହାତ ଦେବାକୁ କଦାପି ନ ଯିବ ।

ଘର ପାଇଁ ଯେବେ ଶେଣି ଲମ୍ବକୁ କାଟିବ,

ନିଶ୍ଚୟ ଆଗରୁ ତିନି ଥରଟି ମାପିବ ।

ସର୍ବଜନ ପ୍ରିୟ ହେବା ସର୍ବଦା ଇଚ୍ଛିବ,

କାହାର ଅପ୍ରିୟ ହେବା କେଭେଁ ନ ଭାବିବ ।

ବିକଳାଙ୍ଗ ଲୋକେ କେଭେଁ ବିଦ୍ରୁପ ନ କର,

ଅପମାନ ଦେବ ନାହିଁ ଆପନ୍ନ ଯେ ଲର ।

ଯେ ଦୁର୍ବଳ ତାକୁ ଉପହାସ ନ କରିବ,

କେତେବେଳେ ନିଜ ମନେ ଗର୍ବ ନ ବହିବ ।

ଅପର ଦୋଷ ପ୍ରକାଶ ନୁହଇ ଉଚିତ,

ଆପଣା ପ୍ରଶଂସା କରା ସଦା ଅନୁଚିତ ।

ଯେତେ ଉଚ୍ଚ ଆସନରେ ହେଲେ ହେଁ ଆସୀନ,

ନୀଚ ବୋଲି ନ ଭାବିବ ଯେ ଅଟେ ଅଧୀନ ।

 

ଆପଣାକୁ ନୀଚ ବୋଲି ଯେ ନର ଭାବଇ,

ଉନ୍ନତି ତାହାର ପନ୍ଥେ ସତତ ଧାମଇ ।

ନିଜକୁ ଯେ ଜିଣି ପାରେ ଜିଣେ ସେ ଜଗତ,

ବିପଦ ତା ଆଗେ କେବେ ନୁହେ ଉପଗତ ।

କନିଷ୍ଠର ପ୍ରତି ଦୟା ଜ୍ୟେଷ୍ଠକୁ ସମ୍ମାନ

କରିବା ଅଟଇ ସୃଷ୍ଟିକର୍ତ୍ତାଙ୍କ ବିଧାନ ।

ପ୍ରଥମେ ଶିକ୍ଷିଣ ନିଜେ ହେବାକୁ ଶାସିତ,

ଶାସନେ ପ୍ରୟାସ କର ତେବେ ଅନ୍ୟ ଚିତ୍ତ ।

ପାଳେ ଯେ ନିଜ ବିବେକ ଆଦେଶ ନିୟତ,

ତାହାର ଆଦେଶ ସଦା ପାଳଇ ଜଗତ ।

ସୁନ୍ଦର ସ୍ୱଭାବ ଲୋକ ଯେ ସମାଜେ ଥାଏ,

ସେ ସମାଜେ ଜ୍ଞାନ-ବୃକ୍ଷ ବୋଲି ସେ ବୋଲାଏ ।

ଯାହା ଜାଣ ତାହା ସବୁ ନ କର ପ୍ରକାଶ,

ଯାହା ଶୁଣ ତାହା ସବୁ ନ କର ବିଶ୍ୱାସ ।

ନ କରିବ ସବୁ କାର୍ଯ୍ୟ ଯେତେ କରି ପାର,

ବ୍ୟୟ ନ କରିବ ସବୁ ଯା ଥାଏ ଯାହାର ।

 

ମନସ୍ଥ କରିବ ଯାହା ଲୋକେ ପ୍ରକାଶିବ,

ବ୍ୟକ୍ତ କର ଯାହା ତାହା କାର୍ଯ୍ୟରେ କରିବ ।

ସ୍ନେହ କର ସର୍ବେ ମାତ୍ର ବିଶ୍ୱାସ ନ କର,

ବୈଷ୍ଣବ ନୁହନ୍ତି ସର୍ବେ ମାଳାଧାରୀ ନର ।

ଅସମ୍ପୂର୍ଣ୍ଣ କରା ବହୁ କାର୍ଯ୍ୟ ଅନୁଚିତ,

ଭଲ ଅଟେ ଅଳ୍ପ କାର୍ଯ୍ୟ ହେବା ସମ୍ପାଦିତ ।

ବାଣିଜ୍ୟ କରିବା ପାଇଁ ବୁଲି ବହୁ ସ୍ଥାନେ,

ଅନେକ ବିଷୟେ ଶିକ୍ଷା ଲଭି ଥାନ୍ତି ଜନେ ।

ପ୍ରଧାନ କର୍ତ୍ତବ୍ୟ ମନ-ଉନ୍ନତି ସାଧନ,

ଶାସନେ ରଖିବା ସଦା ନିଜ ଆଚରଣ ।

ଦୃଷ୍ଟି-ଶ୍ରୁତି-ଜିହ୍ୱା-ସ୍ପର୍ଶ-ମନରୁ ଅନ୍ତର

କରାଇ କାମଲାଳସା ବୁଦ୍ଧିମାନ ନର ।

ମନ୍ଦ କଥା କେତେବେଳେ କାନେ ନ ଶୁଣିବ,

ଅଥବା ମୁଖରେ ତାହା କେଭେଁ ନ ଭାଷିବ ।

ଦୁଃଖକୁ ଦୁଃଖ ନ ଭାବ ଦୁଃଖ ଭେଟ ଯାଏ,

ସୁଖକୁ ସୁଖ ନ ଭାବ ସୁଖ ଭେଟ ଯାଏ;

 

ଦିନ ଦିନ ରାତି ରାତି ଭାବେ ଯେଉଁ ନର,

ନିଶ୍ଚୟ ହୁଅଇ ସୁଖ ତାର ଅନୁଚର ।

ପାନାସକ୍ତ ହେଲେ ଜ୍ଞାନ-ଶକ୍ତି ଚାଲିଯାଏ,

ପାନାସକ୍ତ ଲୋକ ପଶୁ ବୋଲିଣ ବୋଲାଏ ।

ଭୋଜନ କରିବା ପାଇଁ ଜୀବନ ନ ଧର,

ଜୀବନ ରକ୍ଷଣେ କର ଭୋଜନେ ଆଦର ।

ଉପହାସେ ବହୁଦୂର ନ କର ଗମନ,

କଟୁ ଉପହାସ କରେ ବନ୍ଧୁତା ଛେଦନ ।

ଜିଜ୍ଞାସିତ ନୋହି ଦେବ ନାହିଁ ପରାମର୍ଶ,

ଗୃହଛିନ୍ଦ୍ର ନ କରିବ କା ଆଗେ ପ୍ରକାଶ ।

ଏକତା ଯୋଗେ ଉତ୍ଥାନ ଅନୈକ୍ୟ ପତନ,

ଏକତା ଯୋଗେ ହୁଅଇ ଅସାଧ୍ୟ ସାଧନ ।

Image